ଆଇଟି ରେଡରୁ ତାପସୀଙ୍କ ଘରୁ କ’ଣ ମିଳିଲା ?

ମୁମ୍ବାଇ: ବୁଧବାର ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ପ୍ରାୟ ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଏମିତିକି ରାତି ପ୍ରାୟ ୧୧ ଟା ସମୟରେ ଅନୁରାଗ ଓ ତାପସୀଙ୍କୁ ପଚରାଉଚରା କରିଥିଲା । ଆୟକର ବିଭାଗର ଏହି ରେଡ୍ ଗୋଟିଏ ଦିନରେ ହିଁ ସରିନାହିଁ । ଗୁରୁବାର ଦିନ ତମାମ ଏହି ରେଡ୍ ଚାଲିବ ବୋଲି ଆଶଙ୍କା କରାଯାଉଛି ।

ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା ।

ରେଡ୍ କେତେ ଦିନ ଚାଲିବ?
ଏହି ଚଢ଼ଉ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି । କାରଣ ଏନେଇ ଆୟକର ବିଭାଗର ସେଭଳି କିଛି ସୂଚନା ରହିଛି । ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି ତେଣୁ ଚଢ଼ଉ ଲମ୍ବା ଚାଲିପାରେ । ଏମିତିକି ଏହା ମଧ୍ୟ କୁହାଯାଉଛି ଯେ, ଚଢ଼ଉ ୩ ଦିନ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି । ଆୟକର ଅଧିକାରୀମାନେ ସମସ୍ତ ପ୍ରକାର ଡିଜିଟାଲ ପ୍ରମାଣ ସଂଗ୍ରହ କରିବାରେ ଲାଗିପଡ଼ିଛନ୍ତି । ଏଥିପାଇଁ ସେମାନଙ୍କୁ ଅନେକ ଫାଇଲ୍ ଡାଉନଲୋଡ୍ କରିବାକୁ ପଡ଼ୁଛି । ଏହି କାରଣରୁ ମଧ୍ୟ ଅଧିକ ସମୟ ଲାଗୁଛି ।

ଆଇଟି ବିଭାଗକୁ ଅନେକ ପ୍ରମାଣ ମିଳିଛି
ଚଢ଼ଉ ବେଳେ ଆୟକର ବିଭାଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେମାନେ ଜବତ କରିଛନ୍ତି । ସେହି ପ୍ରମାଣକୁ ଆଧାର କରି ଅଧିକ ତଦନ୍ତ କରାଯାଉଛି ବା ଅଧିକ ଖୋଳତାଡ଼ କରାଯାଉଛି । କମ୍ପାନୀ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉଛି । ସେମାନଙ୍କୁ ପଚରା ଉଚରା ମଧ୍ୟ କରାଯାଉଛି।

ଆମେ ଏଠି କହି ରଖୁଛୁ ଯେ, ଅନୁରାଗ କଶ୍ୟପ, ମଧୁ ମନଟେନା, ବିକ୍ରମାଦିତ୍ୟ ମୋଟଓ୍ୱାନେ ଓ ବିକାଶ ବହଲ ମିଶି ଫ୍ୟାଣ୍ଟମ ଫିଲ୍ମସ ନାଁରେ ୨୦୧୧ରେ ଏକ କମ୍ପାନୀ ଖୋଲିଥିଲେ । ସେହି କମ୍ପାନୀ ଅବଶ୍ୟ ୨୦୧୮ରେ ବନ୍ଦ ହୋଇଯାଇଥିଲା । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ଏବଂ ଏମାନଙ୍କ ରିଟର୍ଣ୍ଣ ଫାଇଲ୍ ମଧ୍ୟରେ କୌଣସି ତାଳମେଳ ନାହିଁ । ତେଣୁ ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ, କମ୍ପାନୀ ପକ୍ଷରୁ ଟାକ୍ସ ଚୋରି କରାଯାଇଛି । ଏହି ମାମଲାରେ ପ୍ରଥମେ ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା ପରେ ଓ୍ୱାରେଣ୍ଟ ବାହାର କରାଯାଇଥିଲା ।

ବିରୋଧୀ ଦଳ ନେତାମାନେ ଏଭଳି ରେଡକୁ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେମାନେ କହିଛନ୍ତି ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Leave a Reply