spot_img

Latest Posts

ବଲିଉଡ଼ରେ କରୋନା ଆତଙ୍କ, ଅକ୍ଷୟଙ୍କ ପରେ ଭିକ୍କି ଓ ଭୂମି ବି ସଂକ୍ରମିତ

ମୁମ୍ବାଇ: ବି-ଟାଉନ୍ ରେ ମାଡ଼ିଚାଲିଛି କରୋନା । ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ଗତ ଶନିବାର କରୋନରେ ଆକ୍ରାନ୍ତ ହୋଇଥିଲେ ଅକ୍ଷୟ। ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସେ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ମୁଁ ଏବେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରୀ ପରାମର୍ଶ ଅନୁଯାୟୀ ସତର୍କତା ଭାବରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଆଶା କରୁଛି ଶୀଘ୍ର ଘରକୁ ଫେରିବି।’

ମହାରାଷ୍ଟ୍ରରେ ଅସମ୍ଭାଳ ହେଲାଣି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୭ ହଜାର ୭୪ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରୁ ବର୍ତ୍ତି ନାହାଁନ୍ତି ବଲିଉଡ ଷ୍ଟାର। ଲଗାତର ବଲିଉଡରେ ଜଣଙ୍କ ପରେ ଜଣେ କଳାକାର କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। ଗୋଟେପଟେ ଆଜି ଅକ୍ଷୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟପଟେ ତାଙ୍କ ଅପକମିଂ ଫିଲ୍ମ ‘ରାମସେତୁ’ର ୪୫ ଜଣ କ୍ରୁ ମେମ୍ବର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଯାହାଫଳରେ ଫିଲ୍ମର ଶୁଟିଂକୁ ବନ୍ଦ କରିଦିଆଯାଇଛି। ଏମାନଙ୍କ ବ୍ୟତୀତ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ ଭୂମି ପେଡନେକର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଉଭୟ ବର୍ତ୍ତମାନ ହୋମ ଆଇସୋଲେସନରେ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର କୋଭିଡ ଟେଷ୍ଟ କରାଇନେବା ପାଇଁ ଉଭୟ ପରାମର୍ଶ ଦେଇଛନ୍ତି।


ଅନ୍ୟପଟେ ଏନ୍‌ସିବି ହେପାଜତରେ ଥିବା ଅଭିନେତା ଏଜାଜ ଖାନ୍‌ ବି କରୋନା ସଂକ୍ରମିତ । ଡ୍ରଗ୍ସ ମାମଲାରେ ଗତ କିଛି ଦିନ ତଳେ ଧରାପଡ଼ିଥିବା ଅଭିନେତା ଏଜାଜ ଖାନ୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଲା ଦୁଇ ଦିନ ତଳେ ଏଜାଜଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା, ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଏମାନଙ୍କ ପୂର୍ବରୁ କରୋନାର ଦ୍ୱିତୀୟ ଲହରୀରେ ରଣବୀର କପୁର, ଗୋବିନ୍ଦା, ଆଲିଆ ଭଟ୍ଟ, ଆମୀର ଖାନ୍‌, ମିଲିନ୍ଦ ସୋମେନ, ଫାତିମା ସନା ଶେଖ, ବପ୍ପି ଲହରୀ, ତବୁ, ସଞ୍ଜୟଲୀଲା ଭଂଶାଲୀ, ପରେଶ ରାୱଲ, ଆର ମାଧବନ, ମନୋଜ ବାଜପାୟୀ, ସଚିନ ତେନ୍ଦୁଲକର, ନୀତୁ କପୁର, କାର୍ତ୍ତିକ ଆର୍ଯ୍ୟାନ, ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଦେଶରେ ଦିନକୁ ଦିନ କରୋନା ଉଗ୍ର ରୂପ ନେଇଛି। ଗୋଟିଏ ଦିନରେ ଦେଶରେ କରୋନା ସଂକ୍ରମଣ ଲକ୍ଷେ ପାର କରିସାରିଛି। ଗତ ୨୪ ଘଣ୍ଟାରେ ୧ଲକ୍ଷ ୩ହଜାର ୫୫୮ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ୫୭ ହଜାର ୭୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି କରୋନା ଯୋଗୁ ଗୋଟିଏ ଦିନରେ ଦେଶରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେବଳ ମହାରାଷ୍ଟ୍ରରେ ୨୨୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଚେନ୍ ଭାଙ୍ଗିବାକୁ ଲକ୍‌ଡାଉନ ଭଳି କଟକଣା ଲଗାଇଛନ୍ତି ମହାରାଷ୍ଟ୍ରରେ ସରକାର। କରୋନା ପ୍ରଥମ ଲହରରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ବେଳେ ଦ୍ୱିତୀୟ ଲହରରେ ଭାରତର ସ୍ଥିତି ସବୁଠୁ ଖରାପ ରହିଛି।

Latest Posts

Don't Miss