ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇପାରେ ସଂସଦ ବଜେଟ୍ ଅଧିବେଶନ୍

ନୂଆଦିଲ୍ଲୀ: କିଲର କରୋନାକୁ ରୋକିବାକୁ ବନ୍ଦ ହେଉଛି ସହର ପରେ ସହର । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ୭ ଦିନ ପାଇଁ ଲକ୍ ଡାଉନ୍ । ଓଡ଼ିଶା ସମେତ ଅନେକ ରାଜ୍ୟ ଲକ୍ ଡାଉନ୍ ଭଳି ଷ୍ଟ୍ରାଟେଜି ଆପଣାଇଛନ୍ତି । ଏଭଳି ସ୍ଥିତିରେ ସଂସଦର ବଜେଟ୍ ଅଧିବେଶନ ଏପ୍ରିଲ ୩ ତାରିଖ ଯାଏଁ ଚାଲିବା ସମ୍ଭବ ନୁହେଁ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଧାର୍ଯ୍ୟ ତାରିଖ ପୂର୍ବରୁ ସଂସଦ ଅଧିବେଶନକୁ ବନ୍ଦ କରିଦିଆଯିବ ।
ପୂର୍ବରୁ ସାମଜିକ ଦୂରତ୍ୱ ରକ୍ଷା କଥାକୁ ନେଇ ବହୁ ସାଂସଦ ଅଧିବେଶନ ମୁଲତବି କରିବାକୁ ଦାବି କରିଛନ୍ତି । ଏପରିକି କିଛି ସାଂସଦ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି. ମୂରଲୀଧରନ, ସୁରେଶ ପ୍ରଭୁ, ଦୁଷ୍ୟନ୍ତ ସିଂ, ଦୀପେନ୍ଦର ହୁଡ୍ଡା, ସଞ୍ଜୟ ସିଂ ପ୍ରମୁଖ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।
ସାଂସଦମାନେ ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ସରକାର ସ୍ଥିତି ଠିକ୍ ଥିବା ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି । ଟିଏମସି ସାଂସଦ ଉଭୟ ଗୃହର ଅଧ୍ୟକ୍ଷଙ୍କୁ ଅଧିବେଶନ ବନ୍ଦ ପାଇଁ ଚିଠି ଲେଖିଛନ୍ତି । ଏପରିକି ସୋମବାର ଠାରୁ ସଂସଦ ଅଧିବେଶନରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ।