UNSCରେ ଚୀନକୁ ଧୋଇଲା ଭାରତ

1 min read

ନ୍ୟୁୟର୍କ: UNSCରେ ଚୀନର ନାଁ ନନେଇ ଧୋଇଲା ଭାରତ । ଚୀନର ବିସ୍ତାରବାଦ ନୀତିକୁ ଟାର୍ଗେଟ କରିବା ସହ ଅନ୍ୟ ଦେଶଙ୍କୁ ଋଣ ବାହାନାରେ ନିଜ ଅଧୀନକୁ ନେବାକୁ କଡ଼ା ସମାଲୋଚନା କରିଛି ଭାରତ । ମଙ୍ଗଳବାର UNSCରେ ଭାରତ ପକ୍ଷରୁ କୁହାଯାଇଛି, ‘ଆମେ ନିଜର ବିକାଶ ସହ ଅନ୍ୟମାନଙ୍କ ସହ ସହେଯାଗ ଓ ବିଶ୍ବକୁ ଏକାଠି କରିବାକୁ ଉଦ୍ୟମ କରିଆସିଛୁ । ଆମେ ଏହା ସୁନଶ୍ଚିତ କରିଛୁ ଯେ, ଭାରତର ସହଯୋଗ ଯେମିତି କୌଣସି ଦେଶକୁ ଋଣବୋଝରେ ଦବାଇ ନଦେବ ।’

ସୂଚନାଯୋଗ୍ୟ, ଭାରତର ଏ ଟିପ୍ପଣୀ ବିସ୍ତାରବାଦ ଚୀନକୁ ନେଇ ଥିଲା । କାରଣ, ବିକଶଶୀଳ ଦେଶଙ୍କୁ ସୁନେଲି ସ୍ବପ୍ନ ଦେଖାଇ ଋଣ ଦେଇଥାଏ ଜିନପିଙ୍ଗ ସରକାର । ଗରିବ ରାଷ୍ଟ୍ରଙ୍କ ଉପରେ ଋଣର ବୋଝ ଏତେ ଲଦି ଦେଇଥାଏ ଯେ, ସେମାନଙ୍କ ପକ୍ଷେ ଚୀନ ପଞ୍ଝାରୁ ବାହାରିବା ବି କଷ୍ଟକର ହୋଇଯାଇଥାଏ । ପରେ ଚୀନ ତା’ର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଥାଏ । ଋଣ ଛାଡ଼ ବାବଦକୁ ସେ ଦେଶର କିଛି ଅଞ୍ଚଳକୁ ନିଜ ଅଧୀନକୁ ନେଇ ସେଠାରେ ଉପନିବେଶ ବସାଇଥାଏ । ସେଠାରେ ଚୀନ ସେନା ଓ ନାଗରିକଙ୍କୁ ଅବସ୍ଥାପିତ କରିଥାଏ । ସେଠାରେ ଚୀନ ମୁଦ୍ର ଓ ଭାଷା ପ୍ରଚଳିତ ହୋଇଥାଏ । କହିବାକୁ ଗଲେ ସେ ଦେଶ ମଧ୍ୟରେ ଚୀନ ନିଜ ସରକାର ଚଲାଇଥାଏ । ଯାହାର ଜ୍ବଳନ୍ତ ଉଦାହାରଣ ହେଉଛି ଆମ ପଡୋଶୀ ଶ୍ରୀଲଙ୍କା । ଦିନେ ଚୀନ ମୋହରେ ଭାରତ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବାକୁ ପଛାଇ ନଥିବା ଶ୍ରୀଲଙ୍କା ଏବେ ନିଜକୁ ତା’ କବଳରୁ ବଞ୍ଚାଇବାକୁ ଭାରତକୁ ବିକଳ ଅନୁରୋଧ କରୁଛି ।

UNSCରେ ବର୍ତ୍ତମାନ ମେସ୍କିକୋ ଅଧ୍ୟକ୍ଷତା କରୁଛି । ଏଥିରେ ଆନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା କାର୍ଯ୍ୟକ୍ରମ: ବହିଷ୍କାର, ସମାନତା ଓ ସଂଘର୍ଷ ଉପରେ ଖୋଲା ଆଲୋଚନା ହୋଇଥିଲା । ଏଥିରେ ଉଦବୋଧନ ଦେଇ ଭାରତ ବିଦେଶ ରାଜ୍ୟମନ୍ତ୍ରୀ ରାଜକୁମାର ରଞ୍ଜନ କହିଛନ୍ତି, ‘ପଡୋଶୀ ପ୍ରଥମ ନୀତି ଅନୁସାରେ, ଭାରତର ପଡୋଶୀ ହୁଅନ୍ତୁ ଅବା ଆଫ୍ରିକୀୟ ସହଭାଗିତା ଅଥବା ବିକାଶଶୀଳ ଦେଶଙ୍କ ସହ ସମ୍ପର୍କ, ଭାରତ ସେମାନଙ୍କୁ ଉତ୍ତମ ଓ ସଶକ୍ତ କରିବାକୁ ସହଯୋଗ ଯୋଗାଇ ଆସିଛି ଓ ଏହା ଆଗକୁ ଜାରି ରହିବ ।’

ସେ କହିଛନ୍ତି, ‘ଆମେ ସବୁବେଳେ ଗୋଟିଏ ବିଚାରରେ କାମ କରିଆସିଛୁ ଯେ ଆମର କୌଣସି ସହଯୋଗୀ ଯେମିତି ଋଣବୋଝରେ ତଳିତଳାନ୍ତ ନହେଉ । ଶାନ୍ତି ଓ ସୁରକ୍ଷା ସ୍ଥିତି କାଏମ ରଖିବାକୁ ବିଶ୍ବସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।’ ଏହାସହ ମହିଳା ଓ ଅବହେଳିତ ବର୍ଗ ଯେମିତି ବିକାଶଠାରୁ ଦୂରେଇ ନଯାଇଥାନ୍ତି ତା’ଉପରେ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

ନିକଟରେ ଭାରତ ଚୀନକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA)ରେ ସାମିଲ ହେବାକୁ ଆମନ୍ତ୍ରଣ କରିଥିଲା । ଆଫଗାନିସ୍ତାନ ଅସ୍ଥିରତାକୁ ନେଇ ଏହି ଆଲୋଚନା ଆଜି ହେଉଛି । ଏଥିରେ ଇରାନ, କିର୍ଗିସ୍ତାନ, ରୁଷ, ତାଜିକସ୍ତାନ, ତୁର୍କମେନିସ୍ତାନ, ଉଜବେଗିସ୍ତାନ ସାମିଲ ହୋଇଛନ୍ତି । ହେଲେ ଚୀନ ଏଥିରେ ଯୋଗଦେବାକୁ ମନା କରିଦେଇଥିଲା ।

ସୂଚନାଯୋଗ୍ୟ, କରୋନ ମହାମାରୀ ହେଉ କି, ବିସ୍ତାରବାଦ ନୀତି ଚୀନର ଛବି ବିଶ୍ବ ଦରବାରରେ ଭଲ ନାହିଁ । ବିଶେଷ କରି ଆଫଗାନିସ୍ତାନରେ ତାଲିବାନ ଶାସନକୁ ସମର୍ଥନ ଓ  LACରେ ଭାରତ ସହ ବିବାଦୀୟ ସ୍ଥିତି ପରେ ଚୀନର ପ୍ରକୃତ ଉଦ୍ଦେଶ୍ୟ ଆଉ କାହାକୁ ଅଛପା ନାହିଁ । କ’ଣ କରିବା ଉଚିତ ଓ କ’ଣ ନକରିବା ଉଚିତ ବିଚାର କରିବା ବି ତା’ପକ୍ଷେ କାଠିକର ପାଠ ହୋଇଯାଇଛି । ଏମିତି ସ୍ଥିତିରେ କୌଣସି ବିଶ୍ବସ୍ତରୀୟ ସମ୍ମିଳନୀରେ ଯୋଗଦେଇ ଉପହାସିତ ହେବା ଡର ଓ ନିଜ ଉପରେ ଉଠିବାକୁ ଥିବା ପ୍ରଶ୍ନବାଣରୁ ବର୍ତ୍ତିବାକୁ ଜିନପିଙ୍ଗ ସରକାର ଗୋଟିଏ ପରେ ଗୋଟିଏ ବିଶ୍ବସ୍ତରୀୟ ସମ୍ମିଳନୀକୁ ବୟକଟ କରିବାରେ ଲାଗିଛନ୍ତି ।

Leave a Reply