ପାର୍କରେ ଯୁବତୀଙ୍କୁ ପିଛା କରି ମାଗୁଥିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ଫୋନ ନମ୍ବର
ଭୁବନେଶ୍ୱର : ସାଇନ୍ସପାର୍କରେ ରୋଡ଼ ରୋମିଓଙ୍କ ଉତ୍ପାତ । ପାର୍କରେ ଯୁବତୀଙ୍କୁ ପିଛା କରିବା ସହ ମାଗୁଥିଲା ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ଫୋନ ନମ୍ବର । ନମ୍ବର ନ ଦେବାରୁ ପିଛା କରି ଭଡା ଅଟୋ ଆଗରେ କାର ରଖି ଦେଉଥିଲେ ଧମକ । ଏନେଇ ଅଭିଯୋଗପରେ ରୋଡ଼ ରୋମିଓ ମାନସ ନାୟକଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ଯୁବତୀ ଜଣକ ଭୁବନେଶ୍ବରର ଏକ ନାମୀ ବିଶ୍ବବିଦ୍ୟାଳୟରେ ଫିଲ୍ମ ଆଣ୍ଡ ମିଡିଆ ବିଭାଗରେ ପାଠ ପଢନ୍ତି । ଗତ କାଲି ଯୁବତୀ ଜଣକ ଦୁଇ ଜଣ ସାଙ୍ଗଙ୍କ ସହିତ ମିଶି ଆଚାର୍ଯ୍ୟ ବିହାର ଠାରେ ଥିବା ସାଇନ୍ସପାର୍କ ବୁଲିବାକୁ ଯାଇଥିଲେ।
ଏହି ସମୟରେ ଅଭିଯୁକ୍ତ ଜଣକ ସେମାନଙ୍କର ପିଛା କରିବା ସହ ସେମାନଙ୍କୁ ସୋସିଆଲ ମିଡ଼ିଆ ଆଇଡି ଏବଂ ଠିକଣା ଦେବା ନିମନ୍ତେ ଚାପ ପକାଇଥିଲେ । 3 ଜଣ ଯୁବତୀ ଅଭିଯୁକ୍ତଙ୍କ କଥାକୁ ଅଣଦେଖା କରି ଭିତରେ ବୁଲାବୁଲି କରୁଥିବା ବେଳେ ପିଛା କରୁଥିଲେ । ପାର୍କରୁ ବାହାରି ଅଟୋରେ ରୁମକୁ ଯିବା ବେଳେ ଅଭିଯୁକ୍ତ ମାନସ ଏକ କାର ଯୋଗେ ସେମାନଙ୍କର ପିଛା କରି ଅଟୋକୁ ଜୋର ଜବରଦସ୍ତ ଅଟକାଇଥିଲେ। ଅଭିଯୋଗକାରିଣୀ ଜଣକ ଭୟଭୀତ ହୋଇ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପିସିଆର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ଅଭିଯୋଗକାରିଣୀ ଏବଂ ତାଙ୍କର ଦୁଇ ସାଙ୍ଗକୁ ଉଦ୍ଧାର କରିଥିଲେ । ପରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ମାନସ ନାୟକକୁ ଗିରଫ କରିଥିଲେ ।