ଦେଶରେ ବଢ଼ୁଛି ହାଜତ ମୃତ୍ୟୁ, ୨୦ ବର୍ଷରେ ହୋଇଛି ୧ ହଜାର ୮୮୮ ଜଣ କଏଦୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ହାଜତ ମୃତ୍ୟୁକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ। ଗତ ୨୦ ବର୍ଷରେ ଦେଶର ବିଭିନ୍ନ ଭାଗରେ ଘଟିଛି ୧ ହଜାର ୮୮୮ ହାଜତ ମୃତ୍ୟୁ। ସେଥି ମଧ୍ୟରୁ ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ୮୯୩ଟି ମାମଲା ରୁଜୁ ହୋଇଛି। ମାତ୍ର ୩୫୮ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି। ସେଥିରୁ  ୨୬ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବିର ରିପୋର୍ଟରେ ଏହା କୁହାଯାଇଛି। ୨୦୦୧ରୁ ୨୦୨୦ ମଧ୍ୟରେ ଘଟିଥିବା ହାଜତ ମୃତ୍ୟୁର ତଥ୍ୟ ଏନସିଆରବିର ଭାରତରେ ବାର୍ଷିକ ଅପରାଧ ବା ସିଆଇଆଇ ରିପୋର୍ଟରେ ଏହା ଦର୍ଶାଯାଇଛି। ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଗତ ମଙ୍ଗଳବାର ଉତ୍ତରପ୍ରଦେଶ କାସଗଞ୍ଜରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ହାଜତ ମୃତ୍ୟୁ ଘଟଣା ଚିନ୍ତା ସୃଷ୍ଟି କରିଛି। କେବଳ ୨୦୦୬ରେ ହାଜତ ମୃତ୍ୟୁ ମାମଲାରେ ସର୍ବାଧିକ ୧୧ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେଥିରୁ ଉତ୍ତରପ୍ରଦେଶର ୭ ଜଣ ଓ ମଧ୍ୟପ୍ରଦେଶରୁ ୪ ଜଣ ପୋଲିସ ଥିଲେ।

ଗତବର୍ଷ ଦେଶରେ ୭୬ଟି ହାଜତ ମୃତ୍ୟୁ ଘଟଣା ଘଟିଛି। ସେଥିରେ ଗୁଜରାଟରେ ସର୍ବାଧିକ ୧୫ ମାମଲା ରହିଛି। ସ୍ଥିତି ଏପରି ନୈରାଶ୍ୟଜନକ ହୋଇଛି ଯେ ଗତବର୍ଷ ଜଣେ ବି କେହି ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଗତ ୪ ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ମାମଲାରେ ୯୬ ପୋଲିସଙ୍କୁ ଗିରଫ କରାଯାଇଛି। ରିପୋର୍ଟରେ ଏହା ବି ଦର୍ଶାଯାଇଛି ଯେ, ୨୦୦୧ ମସିହାରୁ ୨୦୨୦ ଯାଏ ରିମାଣ୍ଡରେ ନଥିବା ଅବସ୍ଥାରେ ୧ ହଜାର ୧୮୫ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ରିମାଣ୍ଡରେ ଥିବା ଅବସ୍ଥାରେ ୭୦୩ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ମାମଲାର ଯଥାର୍ଥ ତଦନ୍ତର ଅଭାବ, ନିଜର ସହଯୋଗୀଙ୍କୁ ଘଣ୍ଟ ଘୋଡାଇବାର ପ୍ରୟାସ ଆଦି କାରଣରୁ ହାଜତ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କୁହାଯାଇଛି।

Leave a Reply