ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ହେବ ନିବେଶକ ସମ୍ମିଳନୀ, ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି ଗତିଶୀଳ ହେବ ଶିଳ୍ପାୟନ । ଏପ୍ରିଲ ପ୍ରଥମ ସପ୍ତାହରେ ଜାପାନରେ ନିବେଶକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜାପାନରୁ ଆସିବ ପୁଞ୍ଜି । ନିବେଶକ ସମ୍ମିଳନୀରେ ଯୋଗ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ଦୁବାଇ ଆଦିରେ ହୋଇଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ । ତେଣୁ ଜାପାନ ସମ୍ମିଳନୀରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଡିସେମ୍ବରରେ ଭୁବନେଶ୍ବରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାପାନର ବହୁ ଶିଳ୍ପ ଗୋଷ୍ଠୀର ମୁଖ୍ୟ ଓ ନିବେଶକ ଯୋଗଦେଇଥିଲେ । କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାଣିଜ୍ୟିକ ସମ୍ପର୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପର୍ଯ୍ୟଟନ, ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଜାପାନ ପୁଞ୍ଜିନିବେଶ କରିବା ସମ୍ଭାବନା ରହିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି । ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ ନିବେଶ ପାଇଁ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ନିବେଶ ପାଇଁ ମେକ୍ ଇନ୍ ଓଡ଼ିଶା ପ୍ରମୁଖ ମାଧ୍ୟମ ।