ହିଂସା ନିଆଁରେ ଜଳୁଛି ଶ୍ରୀଲଙ୍କା, ମନ୍ତ୍ରୀଙ୍କୁ କାର ସହ ହ୍ରଦକୁ ଫୋପାଡ଼ି ଦେଲେ ବିକ୍ଷୋଭକାରୀ

କଲମ୍ବୋ: ଶ୍ରୀଲଙ୍କାରେ ଏବେ ଗୃହଯୁଦ୍ଧ ସ୍ଥିତି । ଭାତ,ରୁଟି ପାଇଁ ରାସ୍ତାରେ ଥିବା ନାଗରିକ ଉଗ୍ର ହେଲେଣି । ରାଜନୈତିକ ଦଳଙ୍କ ଚକ୍ରାନ୍ତ ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଲୋକ ପେଟ ପାଇଁ ଛଟପଟ ହେଉଥିବା ବେଳେ ଦେଶକୁ ଆର୍ଥିକ ସଂକଟ ଭିତରକୁ ଠେଲି ଦେଇଥିବା ଦଳର କର୍ମୀଙ୍କ ହିଂସା ବିରୋଧୀ ପକ୍ଷକୁ ଅଧିକ ହିଂସା କରିବାକୁ ଉସକାଇଛି । ଯାହାର ପରିଣାମ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୈତୃକ ଘର ନିଆଁରେ ଲୀନ ହୋଇଛି । ଜଣେ ପୂର୍ବତନ ମନ୍ତ୍ରୀଙ୍କୁ କାର ସମେତ ହ୍ରଦ ମଧ୍ୟକୁ ଫୋପାଡ଼ି୍ ଦେଇଛନ୍ତି ବିକ୍ଷୋଭକାରୀ ।

ଶ୍ରୀଲଙ୍କାରେ ଆର୍ଥିକ ସଂକଟ କାରଣରୁ ସୃଷ୍ଟ ଅସନ୍ତୋଷ ଗୃହଯୁ୍ଦ୍ଧର କାରଣ ଯଦି ହୁଏ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ସୋମବାର ପରଠାରୁ ସେଠାରେ ଘଟଣାକ୍ରମ କ୍ଷୀପ୍ର ଗତିରେ ବଦଳୁଛି । ପ୍ରଥମେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଲେ । କିନ୍ତୁ ତାଙ୍କ ଇସ୍ତଫା ମାତ୍ରରେ ସନ୍ତୁଷ୍ଟ ନଥିବା ନାଗରିକ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିଲେ,ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କଲେ । ଏହାପରେ ଆରମ୍ଭ ହୋଇଥିଲା ହିଂସାର ଚକ୍ର । ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କ ହିଂସାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ ଓ ସାଧାରଣ ନାଗରିକ । ରାଜପକ୍ଷେଙ୍କ ସମର୍ଥକ ରାଜଧାନୀ କଲମ୍ବୋରେ ହିଂସା ଭିଆଇ ଫେରୁଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ପାଲଟା ଆକ୍ରମଣ ।

ଏହାପରେ ହିଂସା ଦେଶର ଅନ୍ୟ ଭାଗକୁ ବ୍ୟାପିଥିଲା । କଲମ୍ବୋରେ ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କୁ ହିଂସ୍ର ଭିଡ଼ ହତ୍ୟା କରିଛି । ଜନସନଙ୍କ କାରକୁ ବିକ୍ଷୋଭକାରୀ ଘେରି ଯାଇଥିଲେ । ସେମାନେ କାର ସମେତ ଜନସନଙ୍କୁ ରାସ୍ତା କଡ଼ରେ ଥିବା ହ୍ରଦକୁ ଫୋପାଡି ଦେଇଥିଲେ । ସେହିଭଳି ଜଣେ ସାଂସଦକୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିବା ମହଙ୍ଗା ପଡିଛି । ସାଂସଦ ଅମରକିର୍ତ୍ତି ଅଥୁରକୋଲା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ପରେ ବିକ୍ଷୋଭକାରୀଙ୍କ କବଳରୁ ବଂଚିବା ପାଇଁ ସେ ଗୋଟିଏ କୋଠାରେ ଲୁଚିଥିଲେ । ମଙ୍ଗଳବାର ଦିନ ସେହି କୋଠାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିକ୍ଷୋଭକାରୀ ମୋଟ ୧୨ ଜଣ ମନ୍ତ୍ରୀଙ୍କ ଘର ଜାଳିଦେଇଥିବା ବେଳେ କିଛି ସାଂସଦ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ବିରୋଧି ଦଳ ଦେଶବ୍ୟାପୀ ହିଂସା ପାଇଁ ସରକାରକୁ ଦାୟୀ କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କାରଣରୁ ହିଂସା ବଢିଛି ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏଣେ ଭାରତ ସରକାର ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ଜାରି କରିଛନ୍ତି ।

ଶ୍ରୀଲଙ୍କା ସ୍ଥିତି ବାକି ଦେଶଙ୍କ ପାଇଁ କେସ୍ ଷ୍ଟଡି ହେବାକୁ ଯାଉଛି । ଗୋଟିଏ ଦେଶ ଯେତେବେଳେ ଋଣ ଜାଲରେ ଛନ୍ଦି ହୁଏ ସେତେବେଳେ କ’ଣ ହୁଏ ତାହା କହୁଛି ଶ୍ରୀଲଙ୍କାର ବର୍ତ୍ତମାନ ସ୍ଥିତି । ଚୀନର ଲୋନ୍ ଟ୍ରାପରେ ଫସି ଶ୍ରୀଲଙ୍କା ବରବାଦ ହୋଇଯାଇଛି । ଏଣେ ନାଲି ବତୀର ମଜା ନେଉଥିବା ନେତା ଏବେ ସଜା ପାଉଛନ୍ତି । ଟ୍ୟାକ୍ସ ଛାଡ,ମାଗଣା ଯୋଜନା ସବୁ କେମିତି ମହଙ୍ଗା ପଡିପାରେ ତା’ର କେସଷ୍ଟଡି ହେଉଛି ଶ୍ରୀଲଙ୍କା । ଦୁର୍ନୀତିରେ ଲିପ୍ତ ଥିବା ନେତା ଏବେ ଜନତା ଆକ୍ରଶରେ ତ୍ରାହି ତ୍ରାହି ଡାକୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘରକୁ ଜାଳିଦେବା, ମନ୍ତ୍ରୀଙ୍କୁ କାର ସମେତ ହ୍ରଦ ଭିତରକୁ ଫୋପାଡି ଦେବା ଘଟଣାରୁ ଜଣା ପଡୁଛି ଯେ, ସାଧାରଣ ନାଗରିଙ୍କ ଧୈର୍ଯ୍ୟର ପାହାଡ଼ ଭୁଷୁଡିଲେ ସ୍ଥିତି କେତେ ସାଂଘାତିକ ହୋଇପାରେ ।