ସିକ୍କିମରେ ଏସକେଏମ, ଅରୁଣାଚଳରେ ବିଜେପି ସରକାର

1 min read

ଭୁବନେଶ୍ବର: ସାଧାରଣ ନିର୍ବାଚନ ସହ ଦେଶରେ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହୋଇଛି । ଆନ୍ଧ୍ର ପ୍ରଦେଶ, ସିକ୍କିମ, ଅରୁଣାଚଳ ପ୍ରଦେଶ ସହ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହୋଇଛି । ଆଜି ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଭୋଟ ଗଣତି ହୋଇଯାଇଥିବା ବେଳେ ବାକି ଦୁଇ ରାଜ୍ୟର ଭୋଟ ଗଣତି ଲୋକସଭା ସହ ଜୁନ ୪ ତାରିଖରେ ହେବ । ଆଜି ଗଣତି ହୋଇଥିବା ଦୁଇ ରାଜ୍ୟରେ ଶାସକ ଦଳ କ୍ଲିନ ସୁଇପ୍ କରି ପୁଣି ସରକାର ଗଢ଼ିବାକୁ ଯାଉଛନ୍ତି ।

ସିକ୍କିମରେ କ୍ଲିନ୍ ସୁଇପ୍ କରିଛି ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା SKM । ୩୨ଟି ଆସନ ମଧ୍ଯରୁ ଏହି ଦଳ ୩୧ଟି ଆସନ ଜିତିଛି । ଆଉ ଯେଉଁ ଗୋଟିଏ ମାତ୍ର ଆସନ ରହିଲା, ସେଠାରେ ବିଜୟୀ ହୋଇଛି ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ । ୨୦୧୯ରେ ସିକ୍କିମ ଡେମୋକ୍ରାଟିକ ଫଣ୍ଟକୁ ପରାସ୍ତ କରି SKM ବିଜୟୀ ହୋଇଥିଲା । ଏଥର SKM କ୍ଷମତାକୁ ଫେରିଛି । ପ୍ରେମ୍ ସିଂ ତାମଙ୍ଗ ପୁଣି ଥରେ ମୁଖ୍ଯମନ୍ତ୍ରୀ ହେବା ଏକ ରକମର ପକ୍କା । SDF ର ନେତା ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଦୁଇଟି ଆସନରେ ଲଢିଥିଲେ ମଧ୍ଯ ଉଭୟ ଆସନରେ ହାରିଛନ୍ତି । ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା । କିନ୍ତୁ ତାଙ୍କ ଦଳର ଶୋଚନୀୟ ପରାଜୟ ଘଟିଛି । ୨୦୧୯ରେ SDFର ୨୫ ବର୍ଷ ଶାସନର ଅନ୍ତ ଘଟାଇଥିଲା SKM ।

ସେହିପରି ଅରୁଣାଚଳ ପ୍ରଦେଶରେ ପୁଣି କ୍ଷମତାକୁ ଫେରିଛି ବିଜେପି । ମୋଟ ୬୦ଟି ଆସନରୁ ବିଜେପି ଏଠାରେ ୪୬ଟି ସିଟ୍ ପାଇଛି । କଂଗ୍ରେସ ଗୋଟିଏ ସିଟ୍ ପାଇଥିବା ବେଳେ ଏନସିପି ୩ଟି ଓ ନ୍ଯାସନାଲ ପିପୁଲ୍ସ ପାର୍ଟି ୫ଟି ସିଟ୍ ପାଇଛି । ଏଠାରେ ପେମା ଖଣ୍ଡୁ ପୁଣି ଥରେ ମୁଖ୍ଯମନ୍ତ୍ରୀ ହୋଇପାରନ୍ତି । ପେମାଙ୍କ ସହିତ ୧୦ ବିଜେପି ପ୍ରାର୍ଥୀ ବିନା ପ୍ରତିନ୍ଦ୍ଵନ୍ଦ୍ଵିତାରେ ଜିତିଥିଲେ । ଗତ ଏପ୍ରିଲ ୧୯ ରେ ଅରୁଣାଚଳରେ ବିଧାନସଭା ନିର୍ବାଚନ ହୋଇଥିଲା । ଭୋଟ ହାର ଥିଲା ୮୨.୯୫ ପ୍ରତିଶତ ଥିଲା ।