ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

Harihara Besha

ପୁରୀ: ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ । କାର୍ତିକ ମାସରେ ପ୍ରତିଦିନ ଶ୍ରୀଜିଉଙ୍କୁ ରାଧା ଦାମୋଦର ବେଶରେ ସଜ୍ଜିତ କରାଯାଇ ପୂଜାର୍ଚନା କରାଯାଉଛି । ତେବେ ଅମାବାସ୍ୟା ପରଦିନ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାରରେ ଶ୍ରୀ ବଳଭଦ୍ରଙ୍କର ହରିହର ବେଶ ହେବାର ପରଂପରା ରହିଛି । ହରିହର ବେଶ ବଡ଼ଠାକୁର ବଳଭଦ୍ରଙ୍କର ଏକ ବିଶେଷ ବେଶ । ଏହା ବର୍ଷକରେ ବଳଭଦ୍ରଙ୍କ ମାତ୍ର ଦୁଇଗୋଟି ସବିଶେଷ ବେଶରୁ ଗୋଟିଏ ।

Harihara Besha

ପରମ୍ପରାକ୍ରମେ ଏହି ବେଶ ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ଅବକାଶ ଠାରୁ ବାଳଧୂପ ପର୍ଯ୍ୟନ୍ତ କରାଯାଏ । ଏହି ବେଶରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ ଅଧା କଳା ଓ ଅଧା ଧଳା ବର୍ଣ୍ଣର ବସ୍ତ୍ରରେ ମଣ୍ଡିତ କରାଯାଏ । ଏହା ହରିହର ଉପାସନାର ପ୍ରତୀକ ଅଟେ । ବଳଭଦ୍ରଙ୍କ ଉପାସନାରେ ବାସୁଦେବ ମନ୍ତ୍ର ସହ ଶ୍ରୀକଣ୍ଠାଦି ନ୍ୟାସ ବ୍ୟବହାର କରାଯାଏ । ଓଡ଼ିଶାରେ ପାରମ୍ପରିକ ଭାବେ ଶିବଙ୍କୁ ଧବଳ ବର୍ଣ୍ଣରେ ଓ କୃଷ୍ଣ ବା ବିଷ୍ଣୁଙ୍କୁ ଗାଢ଼ କଳା ବର୍ଣ୍ଣରେ ଚିତ୍ରିତ କରାଯାଏ । ଏହି ଦୁଇ ଦେବତାଙ୍କର ସମନ୍ୱୟକୁ ଏହି ବେଶ ପ୍ରତିପାଦିତ କରେ । ହରିହର ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Harihara Besha

ସେହିଭଳି କାଳିପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦିଅନ୍ତି । ମା’ ସାତ ଦିନରେ ସାତଟି ଵେଶ ଧାରଣ କରନ୍ତି । ସୋମବାର ସପ୍ତମାତୃକା ବେଶର ତୃତୀୟ ଦିନ । ତୃତୀୟ ଦିନରେ ରାଜରାଜେଶ୍ୱରୀ ଵେଶରେ ଦର୍ଶନ ଦେଉଛନ୍ତି ମା’ । ଶତୃ ସଂହାର କରିବା ପାଇଁ ଏହି ଵେଶ ଧାରଣ କରିଥାନ୍ତି ମା’ । ସକାଳୁ ପହଡ଼ ଖୋଲିଵା ପରେ ମାଆଙ୍କର ନୀତିକାନ୍ତୀ ଆରମ୍ଭ ହୋଇଥିଲା । ମାଆଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ବାହାରୁ ଭକ୍ତମାନେ ଏଠାକୁ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ଚଳିତ ବର୍ଷ କାରୋନା କଟକଣା ପାଇଁ ଏଥର ଦର୍ଶନ କରି ପାରିନାହାନ୍ତି ଶ୍ରଦ୍ଧାଳୁ ।

Leave a Reply