ସମ୍ବଲପୁର କୁଚିଣ୍ଡାରେ ଧରାପଡ଼ିଲେ ବଣ୍ଟି ବବଲି। ସର୍ଭେ ବାହାନାରେ ଲୁଟୁଥିଲେ ଟଙ୍କା ଓ ସୁନା

ସମ୍ବଲପୁର କୁଚିଣ୍ଡାରେ ଧରାପଡ଼ିଲେ ବଣ୍ଟି ବବଲି। ସର୍ଭେ ବାହାନାରେ ଲୁଟୁଥିଲେ ଟଙ୍କା ଓ ସୁନା। ୨ ଲୁଟେରାଙ୍କୁ ଧରିଛି ପୋଲିସ। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ସରକାରୀ ଘର ସର୍ଭେ ବାହାନାରେ କରୁଥିଲେ ଲୁଟପାଟ। ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ଟଙ୍କା ଓ ସୁନା ଅଳଙ୍କାର ଲୁଟ ଅଭିଯୋଗରେ ମହୁଲପାଲି ପୋଲିସ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ସିସିଟିଭି ଭିଡିଓ ଯାଞ୍ଚ କରି ଉଭୟଙ୍କୁ ଧରିଛି ପୋଲିସ। ଗିରଫ ହେଲେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ଗାଁର ସମୀର ସାହୁ ଓ କିଞ୍ଜିରକେଲା ଥାନା କରମଡିହି ମନ୍ଦିରପଡା ଗାଁର ସଞ୍ଜୁଲା ଖାଲକୋ। ସେମାନଙ୍କ ଠାରୁ ବାଇକ, ସୁନା ହାର, ସୁନା କାନଫୁଲ,୨ଟି ରୂପା ଚେନ,୨ଟି ମୋବାଇଲ ଓ ବ୍ୟାଙ୍କ ପାସ ବୁକ ଜବତ ହୋଇଛି। ସନ୍ତୋଷ କୁମାର ନାଏକଙ୍କ ଏତଲା ଆଧାରରେ ପୋଲିସ ମହୁଲପାଲି ଥାନାରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ କୋର୍ଟ ଚାଲାଣ କରିଛିା ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଯାଇଛି। ଏ ନେଇ ସାମ୍ୱାଦିକ ସମ୍ମିଳନୀରେ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ ସୂଚନା ଦେଇଛନ୍ତି।