ଚାରିଦ୍ବାର ଖୋଲିବା ପରେ ବଢ଼ିଲା ଦୁର୍ଦ୍ଦଶା; ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତ ପାହାଚରେ ଭକ୍ତ ହନ୍ତସନ୍ତ, ପରୋକ୍ଷରେ ବିଶୃଙ୍ଖଳା କଥା ମାନିଲେ ସରକାର

1 min read

ପୁରୀ: ପୁରୀରେ ଭିଡ଼ ମାନେ କହିବାକୁ ନାହିଁ । ଚାରି ଦ୍ବାର ଖୋଲାଯିବା ପରେ ଯେଉଁ ଆଶା କରାଯାଉଥିଲା ଭକ୍ତ ସୁରୁଖୁରୁରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ, ତାହା ହୋଇପାରିନାହିଁ । ଭକ୍ତ କହୁଛନ୍ତି- ଅସହ୍ଯ ଗରମ ଗୁଳୁଗୁଳିରେ ଶ୍ରୀମନ୍ଦିର ବାହାରେ ଯେତିକି ଅପେକ୍ଷା କରିବାକୁ ପଡୁଛି, ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ତାଠୁ ଅଧିକ ସଂଘର୍ଷ କରିବାକୁ ପଡୁଛି । ବୈଠକ କରି ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ସମାଲୋଚନା ନ କରି ସହଯୋଗ କଲେ ସମାଧାନ ହେବ । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ସବୁ ଠିକ୍ ହୋଇଯିବ । ସେପଟେ ବିଜେଡି କହିଛି, ପରୋକ୍ଷରେ ବିଶୃଙ୍ଖଳା କଥା ନିଜେ ମାନିଲେଣି ମନ୍ତ୍ରୀ ।

ପୁରୀରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ । ବଡ଼ଦାଣ୍ଡରେ ଲାଇନ ଲମ୍ବିଛି ଯେ ଲମ୍ବିଛି । କେବଳ ଦିନ ବେଳା ନୁହେଁ, ରାତିରେ ବି ପ୍ରବଳ ଗହଳି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଚାରିଦ୍ବାର ଖୋଲାଯିବା ପରେ ସ୍ଥିତି ସୁଧୁରିବା ବଦଳରେ ଆହୁରି ସଙ୍ଗୀନ ହୋଇଛି । ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଯେତିକି ଅହସ୍ଯ ଗରମ ଗୁଲୁଗୁଳିରେ ଲମ୍ବା ଲାଇନରେ ଯେତିକି ଅପେକ୍ଷା କରିବାକୁ ପଡ଼ୁଛି, ଭିତରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ତାଠାରୁ ଅଧିକ ସଂଘର୍ଷ କରିବାକୁ ପଡୁଛି । ଭକ୍ତ ଆଶା କରିଥିଲେ, ଚାରିଦ୍ବାର ଖୋଲାଯିବା ପରେ ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଦର୍ଶନ ହେବ । କିନ୍ତୁ ତାହା ହୋଇପାରି ନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ସମାଧାନ ପାଇଁ ଶୀଘ୍ର ବୈଠକ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୮ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି । ସ୍ଥିତି ଅନୁଧ୍ୟାନ କରିବାକୁ ନିଜେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୟ କୁମାର ଡେରା ପକାଇଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ରଜ ଛୁଟି ଯୋଗୁଁ ସ୍ବାଭାବିକଠାରୁ ଅଧିକ ଭିଡ଼ ହୋଇଛି । ସମସ୍ତଙ୍କ ସହଯୋଗରେ ଜଗନ୍ନାଥଙ୍କ ଆଶୀର୍ବାଦରେ ସବୁ କିଛି ଠିକ୍ ହୋଇଯିବ । ସେପଟେ ବିଜେଡି କହିଛି, ଚାରିଦ୍ବାର ଖୋଲିବା ପରେ ବିଶୃଙ୍ଖଳା ହୋଇଥିବା ମନ୍ତ୍ରୀ ପରୋକ୍ଷରେ ମାନିଛନ୍ତି । ଚାରିଦ୍ବାର ନ ଖୋଲିବା ନିଷ୍ପତ୍ତି ବିଜେଡି ସରକାରର ଭୁଲ ନ ଥିଲା । କମିଶନଙ୍କ ରିପୋର୍ଟ ଆଧାରରେ ସେହି ନିଷ୍ପତ୍ତି ନିଆଯାଇଥିଲା । ଏବେ ଯେଉଁ ସ୍ଥିତି ହେଉଛି, ତାକୁ ନୂଆ ସରକାର କିପରି ସମ୍ଭାଳୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଶ୍ରୀମନ୍ଦିର ଭିଡ଼ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ବରିଷ୍ଠ ଅଧିକାରୀ । ଏହା ସହ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସ୍ତୁତି ବାବଦରେ ବି ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ନେତ୍ରୋତ୍ସବ, ନବଯୌବନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ନୀତିକାନ୍ତିକୁ ନେଇ ବିଚାର ବିମର୍ଶ ହୋଇଛି ।