ଭୁବନେଶ୍ବର: ରାଜ୍ଯ ବିଜେପି ସରକାରରେ ଚାଲିଛି ବିଚିତ୍ର ଶାସନ। ମୁଖ୍ଯମନ୍ତ୍ରୀ ଓ ସଚିବଙ୍କ ମଧ୍ଯରେ ରହୁନି ତାଳମେଳ। ସଚିବ କଣ କରୁଛନ୍ତି ମନ୍ତ୍ରୀ ଜାଣୁନାହାନ୍ତି। ମନ୍ତ୍ରୀ କଣ କରୁଛନ୍ତି ସଚିବ ଜାଣୁନାହାନ୍ତି। ଯେଉଁ ନିୟମ ସରକାର କରୁଛନ୍ତି ତାହାକୁ ଭଙ୍ଗାଯାଉଛି। ପ୍ରଥମେ କାର୍ଯ୍ୟାନୁଷ୍ଠାନ ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ଘଟଣା ରାଜ୍ଯ ସରକାର ବିଚିତ୍ର ଶାସନ ବ୍ଯବସ୍ଥାକୁ ପ୍ରତିଫଳିତ କରିଛି। ମହିଳା କମିଶନ ଅଧ୍ଯକ୍ଷାଙ୍କୁ ବହିଷ୍କାର କରିବାର ୫ ଦିନ ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଆଶ୍ଚର୍ଯ୍ୟର କଥା ହେଉଛି ଜବାବ ଦାଖଲ ଲାଗି ଅଧ୍ଯକ୍ଷାଙ୍କୁ ମାତ୍ର ଗୋଟିଏ ଦିନ ସମୟ ଦିଆଯାଇଛି। ଏଥିରେ ପ୍ରଶ୍ନ କରାଯାଇଛି- ପ୍ରଦର୍ଶନ ଖରାପ ଥିବାରୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏକ ସାମ୍ବିଧାନିକ ପଦରେ ଥିବା ମହିଳା କମିଶନ ଅଧ୍ଯକ୍ଷାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବଙ୍କ ସ୍ବାକ୍ଷର ଥିବା ନୋଟିସକୁ ନେଇ ଉଠିଛି ପ୍ରଶ୍ନ। ମହିଳା କମିଶନଙ୍କ ମାମଲା ଫଇସଲା ଓ କ୍ଯାମ୍ପ କୋର୍ଟ ଆୟୋଜନର ପ୍ରଦର୍ଶନ ସନ୍ତୋଷଜନକ ନହେବା ଉଲ୍ଲେଖ କରି କାର୍ଯ୍ୟାନୁଷ୍ଠାନ କାହିଁକି ନ ନିଆଯିବ ସେନେଇ ୨୯ ତାରିଖ ଅପରାହ୍ଣ ୪ଟା ସୁଦ୍ଧା ଜବାବ ଦାଖଲ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବତନ୍ତ୍ର ସଚିବ ନୋଟିସ ଜାରିକରିଥିଲେ। ଏକ ସାମ୍ବିଧାନିକ ବ୍ଯବସ୍ଥାକୁ କିପରି ରାଜ୍ଯ ସରକାର ଦଳି ଚକଟି ଦେଉଛନ୍ତି ତାହାର ଏହା ସାଜିଛି ଏକ ଉଦାହରଣ।

