ଅବିଭକ୍ତ କୋରାପୁଟ: ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ସ୍କୁଲରେ କାମ କରିବାକୁ କରାଯାଉଛି ବାରଣ

ନବରଙ୍ଗପୁର: ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ନବରଙ୍ଗପୁର ଜିଲ୍ଲାରେ ତେଜୁଛି ଅସନ୍ତୋଷ । ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାର୍ଥୀ ବ୍ୟତୀତ ଅନ୍ୟ ଜିଲ୍ଲାର ନିଯୁକ୍ତ ପ୍ରାର୍ଥୀଙ୍କୁ ସ୍କୁଲ ଭିତରେ କାର୍ଯ୍ୟରେ ଯୋଗଦେବାକୁ ବାରଣ କରୁଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ସ୍କୁଲ କମିଟି । ଅନ୍ୟପକ୍ଷରେ କନିଷ୍ଠ ଶିକ୍ଷକ ଏବଂ ତୃତୀୟ ଶ୍ରେଣୀ ପଦବୀ ପାଇଁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରି ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଧାରଣା ଦେଇଛନ୍ତି । ଯେତେ ଦିନ ଯାଏଁ ଜିଲ୍ଲା ଭିତ୍ତିକ ଦାବି ପୂରଣ ନହୋଇଛି ସେତେ ଦିନ ପର୍ଯ୍ୟନ୍ତ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

ଖୋଦ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ଓ ଦାବିକୁ ଗୁରୁତ୍ୱ ନଦେଇ ଅଣଦେଖା କରାଯାଉଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ । ପୂର୍ବରୁ ଜିଲ୍ଲା ଭିତ୍ତିକ ନିଯୁକ୍ତିକୁ ନେଇ ଏଗ୍ରିମେଣ୍ଟ କରିବାକୁ ଆସୁଥିବା ପ୍ରାର୍ଥୀଙ୍କୁ ତଡି ଦେଇଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ କରିବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ତୁରନ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଜୋରଦାର ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି ।