‘ପରିବାର ଉନ୍ନତିରେ ରାଜ୍ୟର ବିକାଶ‘
1 min read
ଭୁବନେଶ୍ୱର: ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ। ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ। ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା। ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସହିଦ ସ୍ମୃତିଭବନ ପରିସରରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲାରେ ୬ଲକ୍ଷ ହିତାଧିକାରୀ ବିଏସକେୱାଇ ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ। ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶାର ଲକ୍ଷ୍ୟ ରଖି ଅଗଷ୍ଟ ୧୫ ତାରିଖରୁ ଏହି ଡିଜିଟାଲ କାର୍ଡର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାମାନେ ୧୦ଲକ୍ଷ ଓ ପୁରୁଷମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ପାଇବେ। ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ।
ନିଜ ଉଦବୋଧନରେ ନବୀନ କହିଛନ୍ତି, ମୟୂରଭଞ୍ଜ ଆମ ଓଡ଼ିଶାର ଏକ ବଡ଼ ଜିଲ୍ଲା। ମୟୂରଭଞ୍ଜ ଲୋକଙ୍କ ହୃଦୟ ବହୁତ ବଡ଼। ବିକାଶର ଦିଗରେ ମୟୂରଭଞ୍ଜର ବଡ଼ ଅବଦାନ ରହିଛି। ପୂର୍ବତନ ମହାରାଜା ପୁର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୁମିକା। ବିଏସ୍କେଓ୍ୱାଇ କାର୍ଡ ହେଉଛି ବିପଦ ସମୟରେ ପ୍ରକୃତ ବନ୍ଧୁ । ଏହି କାର୍ଡ ଆପଣଙ୍କୁ ଅସୁବିଧା ସମୟରେ ବହୁତ ସାହାଯ୍ୟ କରିବ। ପରିବାରର କେହି ଅସୁସ୍ଥ ହେଲେ ଚିନ୍ତା ବଢ଼ିଯାଏ। ଚିକିତ୍ସା ପାଇଁ କିଏ ଜମି ତ କିଏ ଗହଣା ବିକି ଅର୍ଥ ଯୋଗାଡ଼ କରିଥାନ୍ତି। ଏପରିକି ପିଲାଙ୍କ ପାଠପଢ଼ାରେ ବି ଡୋରି ଲାଗିଯାଏ। ଯାହା ତାଙ୍କୁ ଖୁବ ଦୁଃଖ ଦିଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣିକି ଆଉ କାହାକୁ ଏପରି ଅସୁବିଧା ଭୋଗିବାକୁ ପଡ଼ିବନି।
ସ୍ମାର୍ଟ କାର୍ଡରେ ସୁବିଧାରେ ମିଳିବ ସମସ୍ତ ଚିକିତ୍ସା ସହାୟତା। କୋଭିଡ ଓ ଅଣକୋଭିଡ ଚିକିତ୍ସା ବିନା କାଗଜପତ୍ରରେ ଅବିଳମ୍ବେ ଏହି ସୁବିଧା ମିଳିବ। ତେଣୁ ସଂଚିତ ଅର୍ଥ ରୋଗ ପାଇଁ ଖର୍ଚ୍ଚ ନହୋଇ ପିଲାଙ୍କ ପଢ଼ାରେ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ପ୍ରତି ଜୀବନ ମୂଲ୍ୟବାନ ବୋଲି ନବୀନ କହିଥିବାବେଳେ ଗାଁ ହେଉ କି ସହର ସମସ୍ତେ ସୁସ୍ଥରେ ରୁହନ୍ତୁ ବୋଲି କହିଛନ୍ତି। ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ ବୋଲି କହିଛନ୍ତି। ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ। ପରିବାରର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ବୋଲି କହିଛନ୍ତି ନବୀନ। ରାଜ୍ୟର ସରକାରୀ ଡାକ୍ତର ଖାନାରେ ସମସ୍ତ ପ୍ରକାରର ଚିକିତ୍ସା ହୋଇପାରୁଛି। ଲକ୍ଷ ଲକ୍ଷ ଲୋକ ଚିକିତ୍ସା ହେଉଛନ୍ତି । ସେ ଚାଷୀ ହେଉ ମୁଲିଆ ହେଉ କି ରିକ୍ସାବା ହେଉ, ମୋ ପାଇଁ ସମସ୍ତ ଜୀବନ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ। ଟଙ୍କା ପାଇଁ କେହି ଅସୁବିଧାର ସାମ୍ନା ନକରନ୍ତୁ। ସମସ୍ତେ ସୁସ୍ଥ ରହି ନିଜ ପାଇଁ ଏବଂ ରାଜ୍ୟ ପାଇଁ କାମ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।