ହନୁମାନଙ୍କ ପାଖରୁ ଭଡ଼ା ନେଉଛନ୍ତି ମହେଦେବ

ମଥୁରା: ସାଧାରଣତଃ ମଣିଷ ଘର ଭଡ଼ା ଦେଇ ରହିଥାନ୍ତି । କିନ୍ତୁ ମଥୁରାର ଏକ ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । ଏଠାରେ ମଣିଷ ନୁହଁନ୍ତି, ବରଂ ଭଗବାନ ନିଜେ ଭଡ଼ା ପ୍ରଦାନ କରିଥାନ୍ତି । ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ କି ? ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଶ୍ରୀକୃଷ୍ଣ ନଗରୀ ମଥୁରାରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ମହାବୀର ବଜରଙ୍ଗବଲୀଙ୍କୁ ଭଡ଼ା ଦେବାକୁ ପଡୁଛି । ହନୁମାନ ରହିବା ପାଇଁ ମହାଦେବଙ୍କୁ ପ୍ରତିଦିନ ଭଡ଼ା ଦେଉଛନ୍ତି । ଅର୍ଥାତ ଭଗବାନ ଶିବ ପ୍ରତିଦିନ ବଜରଙ୍ଗବଲୀଙ୍କଠାରୁ ଭାଙ୍ଗ ଭୋଗ ଭଡ଼ା ଆକାରରେ ନେଉଛନ୍ତି ।

ସହରର ପୁରୁଣା ବସଷ୍ଟାଣ୍ଡର ସାମ୍ନାରେ ରହିଛି ମା’ ବଗଲାମୁଖୀଙ୍କ ମନ୍ଦିର । ମା’ଙ୍କ ମନ୍ଦିର ପରିସରରେ ଥିବା ଆଉ ଏକ ମନ୍ଦିରରେ ମହାଦେବଙ୍କ ଆସ୍ଥାନ । ଶିବଙ୍କ ସହିତ ବଜରଙ୍ଗବଲୀ ସେହି ମନ୍ଦିରରେ ରୁହନ୍ତି । ଆଉ ହନୁମାନ ଏଠି ରହିବା ପାଇଁ ଭଡ଼ ଦିଅନ୍ତି । ମନ୍ଦିର ମହନ୍ତ ବୀରୁ ପଣ୍ଡା କହିଛନ୍ତି ଯେ, ଗତ ୨ ବର୍ଷ ଧରି ହନୁମାନ ଶିବ ମନ୍ଦିରରେ ଭଡ଼ାରେ ରହୁଛନ୍ତି । ଆଉ ଭଡ଼ା ଆକାରରେ ସେ ଭଗବାନ ଶିବଙ୍କୁ ଭାଙ୍ଗ ପ୍ରସାଦ ଦେଇଥାନ୍ତି ।

ମନ୍ଦିର ପଣ୍ଡିତ ଆହୁରି ମଧ୍ୟ କହିଛନ୍ତି ଯେ, ହନୁମାନଙ୍କ ମନ୍ଦିର ଅଧା ତିଆରି ହୋଇ ରହିଛି । ଏଥିପାଇଁ ଭଗବାନ ଶିବଙ୍କ ସହିତ ଭଡ଼ାରେ ରହୁଛନ୍ତି ହନୁମାନ । ଯେପର୍ଯ୍ୟନ୍ତ ମନ୍ଦିର କାମ ପୂର୍ଣ୍ଣ ହୋଇନାହିଁ, ସେବେ ଯାଏଁ ବଜରଙ୍ଗବଲୀ ଭଡ଼ାରେ ରହିବେ । ସେ ସମସ୍ତ ହନୁମାନ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି କି ମନ୍ଦିର ତିଆରି କାମ ପାଇଁ ସଭିଏଁ ଅଳ୍ପ ଅଳ୍ପ ଅର୍ଥ ଦାନ କରନ୍ତୁ । ଯାହାଦ୍ବାରା ଭଗବାନ ହନୁମାନ ଭଡ଼ାରୁ ମୁକ୍ତି ପାଇବା ସହ ସ୍ବଆସ୍ଥାନକୁ ଆସିବେ ।