ଲାହୋରରେ ପାକିସ୍ତାନୀଙ୍କୁ ୨୬/୧୧ ଆତଙ୍କବାଦୀ ଆକ୍ରମଣ କଥା ମନେ ପକାଇଲେ ଜାଭେଦ
1 min read
ଲାହୋର: ପ୍ରସିଦ୍ଧ ଲେଖକ-ଗୀତିକାର ଜାବେଦ ଅଖତର ପାକିସ୍ତାନରେ ଥାଇ ଦେଇଥିବା ଏକ ବୟାନ ଖୁବ ଚର୍ଚ୍ଚାରେ ରହିଛି । ପାକିସ୍ତାନରେ ଥାଇ ପାକିସ୍ତାନୀଙ୍କୁ ଆଇନା ଦେଖାଇଛନ୍ତି ଜାଭେଦ । ଏହି ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ସୂଚନାନୁସାରେ, ଜାଭେଦ ଅଖତର ଉର୍ଦ୍ଦୁର ପ୍ରସିଦ୍ଧ ସାୟର ଫୈଜ ଅହମ୍ମଦ ଫୈଜଙ୍କ ସ୍ମୃତିରେ ଆୟୋଜିତ ଏକ ସମାରୋହରେ ଭାଗ ନେବା ପାଇଁ ଲାହୋର ଯାଇଥିଲେ, ଏହି ଅବସରରେ ଜାଭେଦ ପାକିସ୍ତାନକୁ ମନେ ପକାଇଥିଲେ ଯେ ୨୬/୧୧ ଆତଙ୍କୀ ଆକ୍ରମଣର ଆକ୍ରମଣକାରୀ ଏବେବି ତାଙ୍କ ଦେଶରେ ଅଛନ୍ତି ଏବଂ ଆଜି ବି ଖୁଲମଖୁଲା ବୁଲୁଛନ୍ତି ।
ଏଥିସହ ସେ ଦର୍ଶକଙ୍କୁ କହିଥିଲେ ଯେ, ଯଦି ହିନ୍ଦୁସ୍ତାନୀ ଏ ସମ୍ପର୍କରେ ଅଭିଯୋଗ କରନ୍ତି ତେବେ ଆପଣ ନାରାଜ ନହେବା ଦରକାର । ଅଖତରଙ୍କ ଏହି ପ୍ରତିକ୍ରିୟା ସେ ସମୟରେ ଆସିଥିଲା ଯେବେ ଫୈଜ ମହୋତ୍ସବ ୨୦୨୩ରେ ଜଣେ ବ୍ୟକ୍ତି ଜାଭେଦଙ୍କୁ ନିଜ ସହ ଶାନ୍ତିର ସନ୍ଦେଶ ନେବାକୁ ଏବଂ ଭାରତୀୟଙ୍କୁ ଏହା କହିବାକୁ କହିଥିଲେ ଯେ ପାକିସ୍ତାନ ଏକ ସକରାତ୍ମକ, ଶାନ୍ତିପ୍ରିୟ ଏବଂ ଭଲ ପାଉଥିବା ଦେଶ ଅଟେ । ଜାଭେଦ ଅଖତର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ ଯେ, ବାସ୍ତବ କଥା ଏହା ଯେ ଆମେ ଦୁଇଜଣ ଜଣେ ଅନ୍ୟଜଣଙ୍କୁ ଦୋଷ ନଦିଏ ତେବେ ଏଥିରେ ସମାଧାନ ହେବନି, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବର୍ତ୍ତମାନ ଯେଉଁ ଉତ୍ତେଜନା ରହିଛି ତାହା କମ୍ ହେବା ଆବଶ୍ୟକ ।
ଆମେ ତ ମୁମ୍ବାଇର ବାସିନ୍ଦା ଅଟୁ । ଆମେ ଦେଖିଛୁ ସେଠାରେ କିଭଳି ଆକ୍ରମଣ ହୋଇଥିଲା । ସେମାନେ ନରୱେରୁ ତ ଆସିନଥିଲେ, ନା ଇଜିପ୍ଟରୁ ଆସିଥିଲେ । ସେମାନେ ଏବେ ବି ଆପଣଙ୍କ ଦେଶରେ ବୁଲୁଛନ୍ତି, ତେବେ ଏ ଅଭିଯୋଗ ଯଦି ହିନ୍ଦୁସ୍ତାନୀଙ୍କ ମନରେ ଅଛି ତେବେ ଆପଣଙ୍କୁ ଖରାପ ନଲାଗିବା ଆବଶ୍ୟକ । ଏଥିସହିତ ସେ କହିଥିଲେ, ଆମେ ତ ନୁସରତ ଏବଂ ମେହନ୍ଦିଙ୍କର ବଡ ବଡ଼ କାର୍ଯ୍ୟକ୍ରମ ହିନ୍ଦୁସ୍ତାନରେ ଆୟୋଜନ କରିଛୁ । ଆପଣଙ୍କ ଦେଶରେ ତ ଲତା ମଙ୍ଗେଶକରଙ୍କ କୌଣସି ବି କାର୍ଯ୍ୟକ୍ରମ ହୋଇନାହିଁ । ଫୈଜ ସାହାବ ଯେବେ ଭାରତ ଆସିଥିଲେ ତେବେ ଏପରି ଲାଗୁଥିଲା ଯେ କେହି ରାଷ୍ଟ୍ରମୁଖ୍ୟ ଆସିଛନ୍ତି ।
ଆପଣ କେବେ କୈଫି ଆଜମୀ, ସାହିରଙ୍କ କୌଣସି ଇଣ୍ଟରଭ୍ୟୁ ପିଟିବିରେ ଦେଖିଛନ୍ତି? ଆମେ ଆପଣଙ୍କୁ ଦେଖାଇବୁ, ଆମର ଏଠାରେ ହୋଇଛି । ଆମେ ଜଣେ ଅନ୍ୟଜଣଙ୍କୁ ଦୋଷ ଦେବା ଦ୍ୱାରା କୌଣସି ସମାଧାନ ହେବନାହିଁ ନାହିଁ ବୋଲି ଜାଭେଦ କରିଛନ୍ତି । ପାକିସ୍ତାନ ଭଳି ଏକ ଅଶାନ୍ତିପୂର୍ଣ୍ଣ ରାଷ୍ଟ୍ରରେ ଥାଇ ମଧ୍ୟ ଉଚିତ୍ କଥା କହିଥିବାରୁ ଜାଭେଦକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି । ପାକିସ୍ତାନ ଘରେ ପସି ପାକିସ୍ତାନୀଙ୍କୁ ଆଇନା ଦେଖାଇଥିବାରୁ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି । ଜାଭେଦଙ୍କୁ ସବୁବେଳେ ବିରୋଧ କରୁଥିବା କଙ୍ଗନା ରଣାୱତ ମଧ୍ୟ ଜାଭେଦଙ୍କ ପ୍ରଶଂସା ନକରି ରହି ପାରିନାହାନ୍ତି । ଟ୍ୱିଟ କରି କଙ୍ଗନା କହିଛନ୍ତି ପାକିସ୍ତାନକୁ ଘରେ ପସି ମାରିଛନ୍ତି ଜାଭେଦ ।