ଯେଉଁଠି ଶ୍ରେଣୀଗୃହରେ ପାଠପଢ଼ା, ସେଇଟା ହଷ୍ଟେଲ: ଅବ୍ୟବସ୍ଥା ଘେରରେ ସଂସ୍କୃତ ବିଦ୍ୟାଳୟ

1 min read

କେନ୍ଦୁଝର: ଶ୍ରେଣୀ ଗୃହ ଗୋଟିଏ । ସେଇଠି ପଢ଼ୁଛନ୍ତି ୩ଟି ଶ୍ରେଣୀର ଛାତ୍ରଛାତ୍ରୀ । ଆଉ ସେହି ଶ୍ରେଣୀ ଗୃହ ପାଲଟିଛି ଛାତ୍ରଙ୍କ ପାଇଁ ହଷ୍ଟେଲ ରୁମ୍ । ଏମିତି ଅବ୍ୟବସ୍ଥାରେ ଚାଲିଛି କେନ୍ଦୁଝର ହାଟଡିହି କଳିଙ୍ଗା ପଞ୍ଚାୟତ କଇଥଗଡିଆ ବାଞ୍ଛାନିଧି ସଂସ୍କୃତ ବିଦ୍ୟାଳୟରେ ।

ବିଦ୍ୟାଳୟର ନାହିଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ। ଗୋଟିଏ ଘରେ ଚାଲିଛି ୩ଟି ଶ୍ରେଣୀ ପିଲାଙ୍କ ପାଠପଢା । ଯେଉଁ ଘରେ ଦିନରେ ପାଠ ପଢା ହେଉଛି, ସେହି ଘରକୁ ରାତିରେ ହଷ୍ଟେଲ ଭାବେ ବ୍ଯବହାର କରୁଛନ୍ତି ଛାତ୍ର । ଏମିତି ଦୟନୀୟ ସ୍ଥିତିରେ ଚାଲିଛି ବାଞ୍ଛାନିଧି ସଂସ୍କୃତ ବିଦ୍ୟାଳୟ । ସ୍କୁଲରେ ୬୦ରୁ ଅଧିକ ପିଲା ପାଠ ପଢୁଛନ୍ତି । ବିଜେଡି ସରକାର ସମୟରେ ଏହାକୁ 5Tରେ ସାମିଲ କରାଯାଇ ସ୍କୁଲ ରୁପାନ୍ତରଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏଥିରେ ୩ଟି ଶ୍ରେଣୀଗୃହରେ ଆଜବେଷ୍ଟସ ପକାଯାଇଥିଲା । କିନ୍ତୁ ନିମ୍ନମାନର କାମ ଯୋଗୁଁ ଦିନ କେଇଟା ଭିତରେ ଛପର ଉଡିଗଲା । ବିଡିଓ ଓ ସହକାରୀ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଏଷ୍ଟିମେଟ ପ୍ରସ୍ତୁତି କରି ଅନୁମୋଦନ ପାଇଁ ଜିଲ୍ଲା ଅଫିସକୁ ପଠାଇଥିଲେ । ଏହା ଭିତରେ  ୬ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହା ଅନୁମୋଦନ ହୋଇ ଆସିପାରିଲାନି ।

୮ମ, ୯ମ ଓ ୧୦ମ ଶ୍ରେଣୀର ପିଲାମାନେ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଢୁଛନ୍ତି । ଏହା ଏକ ଆବାଶିକ ଶିକ୍ଷାନୁଷ୍ଠାନ ହୋଇଥିବାରୁ ପିଲାମାନେ ସେହି ଗୋଟିଏ ଶ୍ରେଣୀଗୃହରେ ଶିକ୍ଷାଲାଭ ସହିତ ରାତ୍ରୀଯାପନ କରୁଛନ୍ତି । ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ସେ କ୍ଷେତ୍ର ପରିଦର୍ଶନ କରିବା ସହିତ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବିଦ୍ୟାୟଳର ଦୟନୀୟ ସ୍ଥିତି ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏଭଳି ପାଠପଢା ଜାରି ରହିଲେ ପିଲାଙ୍କ ଭବିଷ୍ଯତ ଅନ୍ଧାର ହୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।