ଆଗକୁ ଆସିପାରେ ଅଧିକ ସୁପରସାଇକ୍ଲୋନ, ଭାରତରେ ପଡ଼ିବ ଗଭୀର ପ୍ରଭାବ

ଭୁବନେଶ୍ବର: ଆଗକୁ ଆସିପାରେ ଅଧିକ ସୁପରସାଇକ୍ଲୋନ । ବିଶ୍ବ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗଭୀର ପ୍ରଭାବର ସମ୍ମୁଖୀନ ହେବ ଭାରତ । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ବଢ଼ିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ । ୨୦୨୦ରେ ଆସିଥିବା ସୁପରସାଇକ୍ଲୋନ ଅମ୍ଫନକୁ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନର ବ୍ରିଷ୍ଟଲ ବିଶ୍ବବିଦ୍ୟାଳୟର ଗବେଷକ ।
ସାରା ଦକ୍ଷିଣ ଏସିଆରେ ତାଣ୍ଡବ ରଚିଥିବା ଅମ୍ଫନ ସବୁଠାରୁ ଅଧିକ କ୍ଷତି ଘଟାଇଥିଲା । ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ପତ୍ତନ ବଢିବ ବୋଲି ସେମାନେ ସତର୍କ କରାଇଛନ୍ତି । କ୍ଲାଇମେଟ ରେଜିଲିନସ ଆଣ୍ଡ ସଷ୍ଟେନବିଲିଟି ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ବର୍ତ୍ତମାନ ଯେପରି ଗ୍ରୀନହାଉସ ଗ୍ୟାସ ନିର୍ଗତ ଘଟୁଛି ସେହି ଅନୁପାତ ଯଦି ଜାରି ରହେ ତେବେ ଭାରତ ଜନସଂଖ୍ୟାର ଅଢେଇ ଗୁଣ ଅର୍ଥାତ ବିଶ୍ବର ପ୍ରାୟ ୩୦୦ କୋଟି ଲୋକ ବନ୍ୟାର ଶିକାର ହେବେ ।
ଦକ୍ଷିଣ ଏସିଆ ସାଧାରଣତଃ ଜଳବାୟୁ ପରିବର୍ତ୍ତନର ସବୁଠାରୁ ସ୍ପର୍ଶକାତର ଇଲାକା, ଯେଉଁଥିରେ ସୁପରସାଇକ୍ଲୋନ ବାରମ୍ବାର ପରିଲକ୍ଷିତ ହୋଇଆସିଛି । ବିଶ୍ବ ତାପାୟନ ୨ ଡିଗ୍ରୀରୁ ୧ ଦଶମିକ ୫ ଡିଗ୍ରୀକୁ ହ୍ରାସ କରିବା ଲାଗି ଘୋଷଣାନାମା ଜାରି ହୋଇଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟକାରୀ ହୋଇପାରୁନାହିଁ । ଉଭୟ ବାଂଲାଦେଶ ଓ ଭାରତରେ ଏହି ପରିବର୍ତ୍ତନର ପ୍ରଭାବ ଯଥେଷ୍ଟ ପଡ଼ିବ ଏବଂ ୩ ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡିଆସିପାରେ ବୋଲି ସେମାନେ ସତର୍କ କରାଇଛନ୍ତି ।