ନିର୍ଦ୍ଧାରିତ ସମୟରେ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

1 min read

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି । ନିର୍ଦ୍ଧାରିତ ସମୟରେ ଉଠିଲା ମହାଦୀପ । ରାତି ୧୦ଟା ୧୫ ମିନିଟ ସମୟରେ ଉଠିଲା ମହାଦୀପ । ମହାଦୀପ ମନ୍ଦିର ପରିକ୍ରମା କରିବା ପରେ ଚୂଡ଼ାକୁ ଉଠାଇଥିଲେ ସେବାୟତ । ଓମ୍ ନମଃ ଶିବାୟ ଧ୍ବନୀରେ ଗୁଞ୍ଜରିତ ହେଲା ଭୁବନେଶ୍ବର ଏକାମ୍ର କ୍ଷେତ୍ର ।

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମେଳରେ ବାବା ପାଳିଲେ ଜାଗର ଯାତ୍ରା । ମହାଦୀପକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ପ୍ରକାଶ ପାଇଥିଲା । ନୀତିକାନ୍ତିକୁ ଅତି ଶୃଙ୍ଖଳିତ ଭାବେ ସମାପନ କରିଛନ୍ତି ସେବାୟତ । ନୀତିକାନ୍ତି ସମାପନ ପରେ ରାତି ୧୦ଟାରେ ମନ୍ଦିରରୁ ବାହାରିଥିଲା ମହାଦୀପ । ପୋଲିସ ସୁରକ୍ଷା ବଳୟରେ ମହାଦୀପକୁ ମନ୍ଦିର ପରିକ୍ରମା କରାଇଥିଲେ ସେବାୟତ । ମନ୍ଦିର ପରିସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିବା ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା । ମହାଦୀପ ବାହାରିବା କ୍ଷଣି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖା ଦେଇଥିଲା ଉନ୍ମାଦନା ।

ଘଣ୍ଟଘଣ୍ଟା ଓ ଡମ୍ବରୁ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଶ୍ରୀଲିଙ୍ଗରାଜ ପରିସର । ଅନେକ ସେବାୟତ ହାତରେ ଡମ୍ବରୁ ଧରି ମହାଦୀପ ଆଗେ ଆଗେ ଯାଇଥିଲେ । ମହାଦୀପ ମନ୍ଦିର ପରିକ୍ରମା କରିବା ପରେ ସେବାୟତ ଚୂଡ଼ାକୁ ଏହାକୁ ନେଇଥିଲେ । ୩ ଜଣ ସେବାୟତ ମନ୍ଦିର ଚୂଡ଼ାରେ ମହାଦୀପ ସ୍ଥାପନା କରିବା ସହ ଚୂଡା଼ ପରିକ୍ରମା କରିଥିଲେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଜାଗର ଜାଳି ଉପାସନା କରିଥିଲେ । ମନ୍ଦିର ପରିସରରେ ହନୁମାନ ବେଶରେ ଶ୍ରଦ୍ଧାଳୁଙ୍କ ପ୍ରମୁଖ ଆକର୍ଷଣ ସାଜିଥିଲେ ଲିଙ୍ଗରାଜଙ୍କ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସେବାୟତ ଓ ପ୍ରଶାସନ 5T ଅଧ୍ଯକ୍ଷଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମନ୍ଦିର ଗର୍ଭ ଗୃହରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଆଶିଷ ନେଇଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ତାଙ୍କ ସହ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ବି କରିଥିଲେ ପ୍ରଭୁଙ୍କ ଦର୍ଶନ।