ଯାଜପୁର ଧର୍ମଶାଳାରେ ପ୍ରତିହିଂସାର ରାଜନୀତି, ପ୍ରଣବଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳିରେ ଆରମ୍ଭ ହୋଇଛି ପ୍ରତିହିଂସା ରାଜନୀତି । ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ଲୋକପ୍ରିୟତାକୁ ସହି ପାରୁ ନାହାନ୍ତି ଧର୍ମଶାଳାରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ହିମାଂଶୁ ଶେଖର ସାହୁଙ୍କ ସମର୍ଥକ । ସେଥିପାଇଁ ଗଜଲକ୍ଷ୍ମୀ ପୂଜା ବୁଲିବାକୁ ଯାଇଥିବା ପ୍ରଣବଙ୍କ ଉପରକୁ ଅଣ୍ଡାମାଡ଼ କରିଛନ୍ତି ହିମାଂଶୁଙ୍କ ସମର୍ଥକ ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ବିଜେଡି ଧର୍ମଶାଳାରେ ହାରିଯାଇଥିଲେ ମଧ୍ୟ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଲୋକପ୍ରିୟତା କମି ନାହିଁ । ଯେଉଁଥିପାଇଁ ସେ ବିଭିନ୍ନ ଅଞ୍ଚଳ ଗସ୍ତ ସମୟରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ସେମାନଙ୍କ ସମସ୍ୟା କହୁଛନ୍ତି । ଆଜି ଗଜଲକ୍ଷ୍ମୀ ପୂଜା ଅବସରରେ ମଧ୍ୟ ପୂର୍ବତନ ବିଧାୟକ ବିଭିନ୍ନ ମଣ୍ଡପ ବୁଲୁଥିଲେ । ମଣ୍ଡପ ବୁଲିବା ସମୟରେ ସବୁ ମଣ୍ଡପରେ ତାଙ୍କୁ ବହୁ ସଂଖ୍ୟାରେ ଲୋକ ଭେଟୁଥିଲେ । ଏଥିରେ ଅସହିଷ୍ଣୁ ହୋଇ ହିମାଂଶୁଙ୍କ ସମର୍ଥକମାନେ ପ୍ରଣବଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବା ଅଭିଯୋଗ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର କୁରିକଣା ନିକଟରେ ଆଣ୍ଡାମାଡ଼ ହୋଇଥିଲା ।

ପ୍ରଣବ ନିର୍ବାଚନା ମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ରକ୍ଷା କରୁଥିବାରୁ ଏଥିରେ ଅସହିଷ୍ଣୁ ହୋଇ ବିଧାୟକଙ୍କ ସମର୍ଥକମାନେ ଏଭଳି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ପାଇଁ ସେ ପ୍ରଶାସନକୁ ମଧ୍ୟ ଦାୟୀ କରିଛନ୍ତି । ଶାନ୍ତ ଧର୍ମଶାଳାକୁ ଅଶାନ୍ତ କରିବାକୁ ଉଦ୍ୟମ କରାଯାଉଥିବା ବେଳେ ଏନେଇ ସେ ଆଇନଗତ ପଦକ୍ଷେପ ନେବେ ବୋଲି କହିଛନ୍ତି ପ୍ରଣବ ।

ପୂର୍ବରୁ ଧର୍ମଶାଳାରେ ଚାଲିଥିବା ଅରାଜକତା ସମ୍ପର୍କରେ ସେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଶାସନ ଯଦି ପୂର୍ବରୁ ପଦକ୍ଷେପ ନେଇଥାନ୍ତା ତା’ହେଲେ ଆଜି ଏଭଳି ଘଟଣା ଘଟି ନଥାନ୍ତା ବୋଲି ସେ କହିଛନ୍ତି । ଘଟଣା ପରେ ଧର୍ମଶାଳା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଞ୍ଚି ପ୍ରଣବ ବଲବନ୍ତରାୟ ଓ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।