କଟକରେ ସ୍ଥାୟୀ ଡାକ୍ତର ବିନା ଚାଲିଛି ଘରୋଇ ହସ୍ପିଟାଲ, ନର୍ସ ଓ କମ୍ପାଉଣ୍ଡର ଦେଖୁଛନ୍ତି ରୋଗୀ

କଟକ: ବେପାର ସର୍ବସ୍ବ ପାଲଟିଛି କି ସ୍ବାସ୍ଥ୍ଯସେବା ? ରୋଗୀଙ୍କ ଜୀବନ ସହ ଚାଲିଛି ଖେଳ । ସ୍ଥାୟୀ ଡାକ୍ତରଙ୍କ ବିନା ଚାଲୁଛି ଘରୋଇ ହସ୍ପିଟାଲ । ରୋଗୀଙ୍କୁ ଦେଖୁଛନ୍ତି ନର୍ସ ଆଉ କମ୍ପାଉଣ୍ଡର । କଲ କଲେ ଆସି ପରାମର୍ଶ ଦେଇ ଯାଉଛନ୍ତି ଡାକ୍ତର । ଏ ହେଉଛି କଟକର ସ୍ବାସ୍ଥ୍ୟସେବା ସ୍ଥିତି ।

କଟକ ଏସସିବି ବଡ ମେଡିକାଲକୁ ଲାଗି ରହିଛି ମାଳମାଳ ହସ୍ପିଟାଲ ନର୍ସିଂହୋମ । କିନ୍ତୁ ଶତକଡା ୯୦ ଭାଗ ହସ୍ପିଟାଲରେ ନାହାନ୍ତି ସ୍ଥାୟୀ ଡାକ୍ତର । ହସ୍ପିଟାଲ ପଞ୍ଜିକରଣ ହାତେଇବା ପାଇଁ ଡାକ୍ତରୀ ଲାଇସେନ୍ସ ଦେଇ ଚଳାଉଛନ୍ତି ନର୍ସିଂହୋମ । ଦଲାଲଙ୍କ ମାଧ୍ୟମରେ ରୋଗୀକୁ ଭର୍ତ୍ତି କରି ସ୍ବସ୍ଥ୍ଯ ସେବା ନାଁରେ ଚଳାଇଛନ୍ତି ବ୍ଯବସାୟ । ଫଳରେ ରୋଗୀଙ୍କ ଜୀବନ ସଂକଟରେ ପଡୁଥିବା ଅଭିଯୋଗ ହୋଇଛି । ଏନେଇ ସିଡିଏମଓଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ନିକଟରେ ଆଡ୍ରୋନିସ ହସ୍ପିଟାଲରେ ତୃଟିପୂର୍ଣ୍ଣ ଚିକିତ୍ସା ପାଇଁ ରୋଗୀଙ୍କ ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଥିଲା । ଏହାର କାରଣ ଜାଣିବା ପାଇ ସିଡିଏମଓଙ୍କୁ ଚିଠି ଲେଖିଛି ପୋଲିସ୍ । କେମିତି କେଉଁ ପରିସ୍ଥିତିରେ ରୋଗୀର ମୃତ୍ଯୁ ହେଲା ? ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ କ’ଣ ବ୍ୟବସ୍ଥା ଅଛି ? ଚିକିତ୍ସା ଆରମ୍ଭରୁ ଡାକ୍ତର ଉପସ୍ଥିତ ଥିଲେ କି ନାହିଁ ? ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲଖ କରାଯାଇଛି ।

ବୁଧବାର ମଙ୍ଗଳାବାଗ କାଠ ଗୋଲାରେ ଥିବା ଆଡ୍ରୋନିସ ହସ୍ପିଟାଲରେ ସର୍ଜରୀ ପାଇଁ ଆସିଥିବା ୧୪ ବର୍ଷର ନାବାଳକ ରଶ୍ମି ରଞ୍ଜନ ମଲ୍ଲିକଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ଚିକିତ୍ସା କରାଯାଉଥିବାରୁ ତାର ମୃତ୍ଯୁ ହୋଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ପରିବାର ।