ଗାଁକୁ ଆସିଲାନି ସୁଭଦ୍ରା ରଥ, ଫର୍ମ ଚିରି ନଡ଼ିଆ ଭାଙ୍ଗି ପ୍ରତିବାଦ କଲେ ମହିଳା

ବୌଦ୍ଧ: ଆସନ୍ତା ୧୭ ତାରିଖରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଯୋଜନାରେ ନାମ ପଞ୍ଜିକରଣ କରିବାକୁ ମହିଳାମାନେ କେତେ ହଇରାଣ ହରକତ ହେଉଛନ୍ତି ତାହା ସମସ୍ତେ ଦେଖିଛନ୍ତି । ଏପରିକି କି ଯୋଜନାର ସାମିଲ ହେବାକୁ ହେଲେ କ’ଣ କ’ଣ ପ୍ରାମାଣପତ୍ର ଆବଶ୍ୟକ ତାହା ବି ବହୁ ମହିଳାଙ୍କୁ ଜଣାନାହିଁ । ଏମିତି ସ୍ଥିତିରେ ସରକାର ଲୋକଙ୍କୁ ସଚେତନ କରିବାକୁ ସୁଭଦ୍ରା ରଥ ବାହାର କରିଛନ୍ତି । ଯାହା ବିଭିନ୍ନ ଗାଁ ବୁଲି ମହିଳାଙ୍କୁ ସଚେତନ କରୁଛି । ହେଲେ ବୌଦ୍ଧ ଜିଲ୍ଲାରେ ପ୍ରଶାସନିକ ଅବହେଳାରୁ ଗାଁ ମୁଣ୍ଡରୁ ଫେରିଗଲା ସୁଭଦ୍ରା ରଥ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତରେ ସୁଭଦ୍ରା ସଚେତନତା ରଥ ଆସିବାର ଥିଲା । ରଥକୁ ସ୍ବାଗତ କରିବାକୁ ପ୍ରତି ଗାଁର ମହିଳାଙ୍କୁ କୁହାଯାଇଥିଲା । ମହିଳାମାନେ ମଧ୍ୟ ରଥକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ଗାଁ ମୁଣ୍ଡରେ ଅପେକ୍ଷା କରି ରହିଥିଲେ । ହେଲେ ପଞ୍ଚାୟତର ୪ଟି ଗାଁକୁ ରଥ ଆସି ନଥିଲା ।

ଫଳରେ ମହିଳା ଅପେକ୍ଷା କରି ନିରାଶ ହୋଇଥିଲେ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପ୍ରଶାସନର ଖାମଖିଆଲି ମନଭାବକୁ ବିରୋଧ କରି ମହିଳାମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ । ନିଜ ନିଜ ସୁଭଦ୍ରା ଫର୍ମ ଚିରିବା ସହ ହୁଳହୁଳି ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ହରଭଙ୍ଗା ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ମହିଳାଙ୍କୁ ବୁଝାଶୁଝା କରିଥିଲେ ।