ରାଜଧାନୀର ୬ଟି ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ବର: ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ । ମା’ଙ୍କ ଦର୍ଶନ କରିବାକୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ରାଜଧାନୀରେ ମା’ଙ୍କ ଦର୍ଶନ କରିବା ସହ ରାବଣ ପୋଡ଼ିର ମଜା ଉଠାଇବେ ଲୋକେ । ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ଏଯାବତ ୬ଟି ପୂଜା ମଣ୍ଡପକୁ ଦିଆଯାଇଛି ଅନୁମତି । ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ଦେଲେ ସୂଚନା ।

ସୂଚନା ଅନୁସାରେ ଭୁବନେଶ୍ବରରେ ୮ରୁ ଅଧିକ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ପାଇଁ ଅନୁମତି ମଗାଯାଇଥିଲା । ତେବେ ଏଯାବତ ୬ଟି ସ୍ଥାନକୁ ରାବଣ ପୋଡ଼ି ଅନୁମତି ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି ।

ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ରାବଣ ପୋଡ଼ି ପାଇଁ ଅନୁମତି ମିଳିନି । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ବିଚାରକୁ ନେଇ ଅଗ୍ନିଶମ ବିଭାଗ ଏହି ଅନୁମତି ଦେଇଛି ।

ରାବଣପୋଡି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ । ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ମଣ୍ଡପ ନିକଟରେ ନିୟୋଜିତ ରହିବେ । ଲୋକେ ଦଶହରା ବୁଲାବୁଲି ସହ ଏହି ସବୁ ପୂଜା ମଣ୍ଡପରେ ରାବଣ ପୋଡ଼ିର ମଜା ଉଠାଇ ପାରିବେ ।

ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ଜାଗାରେ ଯାଞ୍ଚ ଆରମ୍ଭ ହୋଇଛି । ସନ୍ଧ୍ୟା ୭ଟା ୩୦ରୁ ରାତି ୯ ଭିତରେ ଶେଷ ହେବ ରାବଣ ପୋଡ଼ି । ରାବଣ ପୋଡ଼ି ସ୍ଥାନରୁ ୧୦୦ ମିଟର ଭିତରେ ପ୍ରବେଶ ଓ ଚଳାଚଳ ନିଷେଧ ହେବ । ନିର୍ଦ୍ଦିଷ୍ଟ ଡେସିବଲ ଓ ବ୍ରାଣ୍ଡର ବାଣ ଫୁଟାଇବାକୁ ଅନୁମତି ମିଳିଛି । ମାନସିକ ଓ ହୃଦରୋଗୀ, ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ସେହିପରି ଛୋଟ ପିଲାଙ୍କୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।