ITBPରେ ପ୍ରଥମ ଥର ଭର୍ତ୍ତି ହେଲେ ମହିଳା, ୨ ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦାୟିତ୍ୱ

1 min read

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ITBP ବା ଇଣ୍ଡୋ-ତିବ୍ବତାନ୍ ବର୍ଡର ପୋଲିସ ଅଫିସର ରାଙ୍କରେ ଭର୍ତ୍ତି ହେଲେ ମହିଳା । ପ୍ରଥମ ପର୍ଯ୍ୟାୟରେ ୨ ମହିଳା ଅଫିସରଙ୍କୁ ITBPରେ ନିଯୁକ୍ତି ଦିଆଯାଇଛି । ଉତ୍ତରାଖଣ୍ଡର ମସୁରୀ ସ୍ଥିତ ITBP ଏକାଡେମୀରେ ୨ ମହିଳା ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ITBPରେ ମହିଳାମାନଙ୍କୁ କେବଳ ଯବାନ ଭାବେ ନିଯୁକ୍ତି ଦିଆଯାଉଥିବା ବେଳେ ଏବେ ମହିଳାଙ୍କୁ ଅଫିସର ରାଙ୍କରେ ସାମିଲ କରାଯାଇଛି ।

୨୦୧୬ରେ UPSC ମାଧ୍ୟମରେ ମହିଳାଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ପଦରେ ଭର୍ତ୍ତି ପାଇଁ ଅନୁମତି ଦିଆଯାଇଥିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨ ମହିଳା ୫୨ ସପ୍ତାହ ଧରି ଟ୍ରେନିଂ ନେଇଥିଲେ । ରବିବାର ଦୁଇ ମହିଳା ଅଫିସରଙ୍କ ସମେତ ଅନ୍ୟ ୫୧ଜଣ ପୁରୁଷ ଅଫିସରଙ୍କୁ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପାଇଥିବା ସମସ୍ତ ଅଫିସର ଭାରତ-ଚୀନ୍ ସୀମାର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା LACର ସୁରକ୍ଷା ଦାୟିତ୍ବ ସମ୍ଭାଳିବେ ।

ପୂର୍ବ ଲଦାଖର କୋରାକୋରମଠାରୁ ଉତ୍ତରାଖଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ପର୍ଯ୍ୟନ୍ତ ୩ହଜାର ୪୮୮ କିମି ଲମ୍ବ ସୀମାରେ ITBP ଯବାନମାନେ ନିୟୋଜିତ ହୋଇଥାନ୍ତି । ପୂର୍ବ ଲଦାଖରେ ଚୀନ ସହ ସୀମା ବିବାଦ ଲାଗି ରହିଥିବା ବେଳେ ମାଇନସ ତାପମାତ୍ରାରେ ରହି ଶତ୍ରୁ ଦେଶର ସୈନ୍ୟଙ୍କ ସହ ଲଢ଼େଇ କରିଥିଲେ । ଏହାଛଡ଼ା କେତେକ ମାଓପ୍ରବଣ ଅଞ୍ଚଳରେ ବି ITBP ଯବାନଙ୍କୁ ନିୟୋଜିତ କରାଯାଇଥାଏ । ପାହାଡ଼ି ଇଲାକାରେ ଆସୁଥିବା ପ୍ରକୃତିକ ବିପଦ ସମୟରେ ଫାଷ୍ଟ ରେସପନ୍ସ ଫୋର୍ସ ଭାବେ କାର୍ଯ୍ୟ କରିଥାନ୍ତି ଇଣ୍ଡୋ-ତିବ୍ବେତାନ୍ ବର୍ଡର ପୋଲିସ ।

Leave a Reply