ସେନା ବିମାନ ଦୁର୍ଘଟଣା: ୫ ବର୍ଷରେ ଦେଶ ହରାଇଲାଣି ୫୦ ବୀରଙ୍କୁ

1 min read

ନୂଆଦିଲ୍ଲୀ: ଗତ ଶୁକ୍ରବାର ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏଏଲଏଚ (ଆଡଭାନ୍ସ ଲାଇଟ୍ ହେଲିକପ୍ଟର) ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ ଏବଂ ୩ ଯବାନଙ୍କ ମୃତ୍ୟୁ ଘଟିଛି । ଯାହାକୁ କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ବାରୀ ହେବ । ଏହାସହ ଭାରତୀୟ ସେନାର ବିମାନ ବାରମ୍ବାର ଦୁର୍ଘଟଣା ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଗତ ୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ଦେଶ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇ ସାରିଥିବା ବେଳେ ଏକାଧିକ ଆହତ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ୨୦୧୭ ପରଠାରୁ ଦୁର୍ଘଟଣାର ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି । ୨୦୧୭ ପରଠାରୁ ସେନାର ୨୦ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୪୦ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୫ ଜଣ ଆହତ ହୋଇଛନ୍ତି । ଗତ ମାର୍ଚ୍ଚରୁ ଚିତା ହେଲିକପ୍ଟର ୩ଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ, ଏବେ ବି ଭାରତୀୟ ସେନା ପୁରୁଣା ବିମାନ ବ୍ୟବହାର କରୁଛି । ନୂଆ ଏବଂ ଅତ୍ୟାଧୁନିକ ହେଲିକପ୍ଟର, ଯୁଦ୍ଧ ବିମାନ ଅଭାବ ଓ ଏହାକୁ କିଣି ସେନାରେ ସାମିଲ କରିବାରେ ବିଳମ୍ବ କାରଣରୁ ସେନା ଏବେ ବି ପୁରୁଣା ସୁପର ସୋନିକ ମିଗ୍-୨୧ ଜେଟ୍ ଉଡ଼ାଯାଉଛି । କେବଳ ପୁରୁଣା ବିମାନ ଯୋଗୁଁ ଦୁର୍ଘଟଣା ଘଟୁନାହିଁ । ନୂଆ ଏଏଲଏଚ ଏବଂ ଋଷର ଏମଆଇ-୧୭ ଭି୫ ହେଲିକପ୍ଟର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଗତବର୍ଷ ଡିସେମ୍ବରରେ ତାମିଲନାଡୁର କନୁର ନିକଟରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ, ତାଙ୍କ ପତ୍ନୀ ଏବଂ ୧୨ ଜଣଙ୍କ ମୃତ୍ୟୁ ଘଟଇଥିଲା ।

୨୦୧୭ ପରଠାରୁ ୭ଟି ଏଏଲଏଚ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ୯୦ ପ୍ରତିଶତ ଦୁର୍ଘଟଣା ମାନବୀୟ ତ୍ରୁଟି ଏବଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି । ଅନ୍ୟ ଦୁର୍ଘଟଣା ପକ୍ଷୀ ଦେହରେ ମାଡ଼ ହୋଇ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ହୋଇଛି ।