୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ, ବିଭିନ୍ନ ସ୍ଥାନରେ ୩୪ଟି ରକେଟ ମାଡ଼

1 min read

କିଭ୍: ୫୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ଦିନକୁ ଦିନ ଜଟିଳ ସ୍ଥିତି ଆଡ଼କୁ ଗତି କରୁଛି ଯୁଦ୍ଧ । ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ କରାଯାଇଥିବା ନେଇ ଦାବି କରିଛି ଋଷ । ଖାରକିଭ୍ ସହର ଉପରେ ବି ଜାରି ରହିଛି ଆକ୍ରମଣ । ଗତ କିଛି ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୩୪ଟି ରକେଟ ମାଡ଼ ହୋଇଛି । ଫେବ୍ରୁଆରୀ ୨୪ରୁ ଆଜି ପର୍ଯ୍ୟନ୍ତ ଋଷ ଆକ୍ରମଣରେ ଖାରକିଭରେ ୫୦୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେୟର । ବୁଚା ସହରରେ ପ୍ରକୃତ ମୃତକଙ୍କ ସଂଖ୍ୟା ତାହାର ତଦନ୍ତ କରୁଛନ୍ତି ଫ୍ରାନ୍ସର ୧୮ ଜଣିଆ ଫରେନସିକ ଟିମ୍ ।

ସେପଟେ ୟୁକ୍ରେନର ନେପଚୁନ୍ ମିଜାଇଲରେ ଧ୍ୱଂସ ହୋଇଥିବା ଋଷର ପ୍ରମୁଖ ଯୁଦ୍ଧ ଜାହାଜ ମୋସକଭା କୃଷ୍ଣସାଗରରେ ବୁଡ଼ିଯାଇଛି । ଜାହାଜରେ ଥିବା ଶତାଧିକ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା କହିଛି ଋଷ । ୧୮୬ ମିଟର ଲମ୍ବା ଓ ୫୦୦ ଲୋକଙ୍କୁ ଧରି ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରୁଥିବା ଯୁଦ୍ଧ ଜାହାଜ ନଷ୍ଟ ହେବା ପରେ ଋଷକୁ ପଶିଛି ଛନକା । ଗତ ମାସରେ ଋଷର ଏକ ବୃହତ ଯୁଦ୍ଧଜାହାଜ ଉର୍ସ୍କକୁ ମଧ୍ୟ ଧ୍ୱଂସ କରିଥିବା ନେଇ ଦାବି କରିଥିଲା ୟୁକ୍ରେନ । ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି- ୟୁକ୍ରେନକୁ ସମର୍ଥନ କରିବା ପ୍ରକ୍ରିୟାରେ କିଭକୁ ଆମେରିକାର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳୀ ପଠାଯିବ । ଏହି ପ୍ରତିନିଧିମଣ୍ଡଳୀରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ରହିପାରନ୍ତି ।