ଖୋଲୁଛି କାହ୍ନୁ ପ୍ରଧାନର କଳା କାରନାମା, କାଜୁ ଜଙ୍ଗଲ ହାତେଇବା ପାଇଁ ୨୦୨୦ରେ ୨ ଜଣଙ୍କୁ କରିଥିଲା ହତ୍ୟା

1 min read

ଭୁବନେଶ୍ୱର: ଖୋଲୁଛି ନକଲି ସୂଚନା ଅଧିକାର କର୍ମୀ କାହ୍ନୁ ପ୍ରଧାନର କଳା କାରନାମା । ସେ ଜଣେ ହତ୍ୟା ଅଭିଯୁକ୍ତ । ୨୦୨୦ରେ କାଜୁ ଜଙ୍ଗଲ ହାତେଇବା ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲା କାହ୍ନୁ । ହତ୍ୟା ବ୍ୟତୀତ ଖୋର୍ଦ୍ଧା ଚାନ୍ଦପୁର ଥାନାରେ ଅଭିଯୁକ୍ତ ବିରୋଧରେ ରହିଛି ଅନେକ ମାମଲା । ଏଥିସହ ୩ଟି ମଦ ଦୋକାନକୁ ଲିଜରେ ନେଇ ଚଲାଉଥିଲା କାହ୍ନୁ । ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନକୁ STF ଗିରଫ କରି ପଚରାଉଚରା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହି ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଥିଲା । କାହ୍ନୁଚରଣ ଆକାଉଣ୍ଟରେ ୩ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ ଜବତ ହୋଇଛି । ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ ନକଲି ଆରଟିଆଇ କର୍ମୀ ।

କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ ପକାଇ ବୁଲୁଥିଲେ କିଶୋର । ପୋଲିସର ସନ୍ଦେହ ହେବାରୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା । ତା’ଠାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନକଲି ଆଇକାର୍ଡ ପାଇଥିଲା ପୋଲିସ । ୨ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଆଣିପାରେ STF । ପଞ୍ଚାୟତରାଜ ବିଭାଗରେ VLW ଚାକିରି କରାଇବାକୁ କହି ଲୁଟୁଥିଲେ ଟଙ୍କା । ଲୁଟ ଟଙ୍କାରେ ଥାଇଲାଣ୍ଡ ଯାଇ ମସାଜ ହେଉଥିବା ଜାଣିବାକୁ ପାଇଛି STF । କୋରାପୁଟ ଟାଉନ ଥାନା ପୋଲିସ ଚିଠି ଲେଖି STFକୁ ଏ ସମ୍ପର୍କରେ ଅବଗତ କରାଇଥିଲା । ଅଭିଯୁକ୍ତଙ୍କ ଆକାଉଣ୍ଟ ତଥ୍ୟ ପାଇଁ RBIକୁ ଚିଠି ଲେଖିଛି STF ।