ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ

ନନ୍ଦିଘୋଷ ବ୍ୟୁରୋ: ଆଜି ପାକିସ୍ତାନ ରାଜନୀତିର ଶେଷ ଓଭର ଖେଳିବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଆଜି ଇମ୍ରାନ ଖାନ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ଏହି ଭୋଟିଂରେ ଇମ୍ରାନ୍ ହାରିଲେ ପ୍ରଧାନମନ୍ତ୍ରୀ ପଦ ହାତରୁ ଯିବ । ଗତ ଗୁରୁବାର ଦିନ ଇସ୍ତଫା ଦେବେ ନାହିଁ ବୋଲି ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରି ରୋକଠୋକ ମନା କରି ଦେଇଥିଲେ ।

ଏକ ବିଦେଶୀ ଶକ୍ତି ତାଙ୍କୁ ହଟାଇବାକୁ ଚାହୁଁଛି ବୋଲି ଦୋହରାଇ ଥିଲେ ଇମ୍ରାନ । ଦେଶର କିଛି ସାଂସଦ ପାକିସ୍ତାନର ସଂହତି ଓ ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ଦେଶ ଇସାରାରେ କାର୍ଯ୍ୟ କରୁଛନ୍ତି । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଏକ ବିଦେଶୀ ଷଡଯନ୍ତ୍ର ବୋଲି ଇମ୍ରାନ୍ କହିଛନ୍ତି । ଏପଟେ ପାକିସ୍ତାନର ଯୁବପୀଢିଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଏଭଳି ଅନ୍ୟାୟ ବିରୋଧରେ ପ୍ରତିବାଦ କରିବାକୁ ଆହ୍ବାନ କରିଛନ୍ତି ଇମ୍ରାନ୍ ।

ନ୍ୟାସନାଲ ଏସେମ୍ଲିରେ ଭୋଟିଂ ସମୟରେ ଯୁବପୀଢି ଆନ୍ଦୋଳନ କରିବା ଦରକାର ବୋଲି ଇମ୍ରାନ୍ କହିଛନ୍ତି । ନ୍ୟାସନାଲ ଆସେମ୍ବଲିର ୩୪୨ ସଦସ୍ୟଙ୍କ ମଧ୍ୟରୁ ୧୭୭ ଜଣଙ୍କ ସମର୍ଥନ ଯୋଗାଡ କରିବାରେ ସମର୍ଥ ହୋଇଛନ୍ତି ବିରୋଧୀ । ଏପଟେ ସମର୍ଥକ କିନ୍ତୁ ଇମ୍ରାନ୍ ପ୍ରଧାନମନ୍ତ୍ରୀ ପଦ ନଛାଡନ୍ତୁ ବୋଲି ଦାବି ହୋଇଛି ।