‘ଡ୍ରଗ୍ସ ଆଡିକ୍ଟ ଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ମୋ’ ଘରେ ନେଇଛନ୍ତି ଡ୍ରଗ୍ସ’

1 min read
Joe Biden Kamala Harris Win In Elections Imran Nawaz Congratulate Them Look Forward For PAK US Relations

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ୍‌ଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ୍‌ ପାକିସ୍ତାନ କ୍ରିକେଟର ପୂର୍ବତନ ଦ୍ରୁତ ବୋଲର ସରଫରାଜ୍‌ ନଓ୍ୱାଜ୍‌ । ସେ କହିଛନ୍ତି ଇମ୍ରାନ ଡ୍ରଗ୍ସ ଆଡିକ୍ଟ ଥିଲେ । କ୍ରିକେଟ ଖେଳୁଥିବା ସମୟରେ ସେ ଡ୍ରଗ୍ସ ସେବନ କରୁଥିଲେ । ମୋ ଆଖି ସାମ୍ନାରେ ସେ ଡ୍ରଗ୍ସ ସେବନ କରିଛନ୍ତି । ସରଫରାଜଙ୍କ ଏଭଳି ବୟାନର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ସରଫରାଜ୍‌ ୧୯୭୦ ଏବଂ ୮୦ ଦଶକରେ ପାକିସ୍ତାନର ଜଣେ ଷ୍ଟାର ବୋଲର ଭାବେ ବେଶ୍‌ ପରିଚିତ, ସେ ଇମ୍ରାନ ଖାନଙ୍କ ସହ ଖେଳୁଥିଲେ । ସରଫରାଜ ଏହା ମଧ୍ୟ କହିଛନ୍ତି ଯେ, ଯଦି ‘ମୋ କଥା ମିଛ ହୋଇଥାଏ ତେବେ ଇମ୍ରାନ୍‌ ମୋ’ ବିରୋଧରେ କୋର୍ଟରେ କେସ୍‌ କରିପାରନ୍ତି’ । ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟର ମାନେ ଡ୍ରଗ୍ସ ସେବନ କରୁଥିଲେ ବୋଲି ପୂର୍ବରୁ ଅନେକ ଅଭିଯୋଗ ରହିଛି ।

ସରଫରାଜ୍‌ଙ୍କ ଦାବି

୧୯୮୭ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ ବିଷୟରେ ସରଫରାଜ ଭିଡିଓରେ ବଖାଣିଛନ୍ତି । ସରଫରାଜଙ୍କ କହିବାନୁଯାୟୀ ଏହି ମ୍ୟାଚ୍‌ରେ ଇମ୍ରାନ୍‌ଙ୍କ ପ୍ରଦର୍ଶନ କିଛି ଖାସ୍‌ ନଥିଲା । ସେ ଏହି ଘଟଣାକୁ ମନେପକାଇ କହିଛନ୍ତି ଯେ, ଇସ୍‌ଲାମାବାଦରେ ଇମ୍ରାନ ତାଙ୍କ ଘରକୁ ଆସିଥିଲେ ଏବଂ ଖାଇବା ସମୟରେ ସେ ଡ୍ରଗ୍ସ ସେବନ କରିଥିଲେ ।

ନୋଟରେ କୋକିନ ରଖି ନେଉଥିଲେ

ପାକିସ୍ତାନର ଏକ ଗଣମାଧ୍ୟମ ସହ କଥା ହେବା ସମୟରେ ସରଫରାଜ କହିଥିଲେ ଯେ, ଏହି ଘଟଣା ତାଙ୍କ ସାମ୍ମୁଖର ହିଁ ହୋଇଥିଲା । ୧୯୮୭ରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ସେହି ସମୟରେ ଇମ୍ରାନ ଖାନ ସରଫରାଜଙ୍କ ଇସଲମାବାଦସ୍ଥିତ ଘରକୁ ଆସିଥିଲେ । ଇମ୍ରାନ ଖାନ୍ ୧୦-୨୦ ଟଙ୍କିଆ ନୋଟ୍‌ ଉପରେ କୋକିନ୍‌ ରଖି ସେବନ କରିଥିଲେ । ଖାଲି ସେତିକି ନୁହେଁ ଭାଙ୍ଗକୁ ଶୁଖାଇ ତାର ଚରସ ମଧ୍ୟ ପ୍ରସ୍ତୁତ କରୁଥିଲେ । ଇମ୍ରାନ ଖାନଙ୍କ ସହ ମୋହସିନ ଖାନ, ଅବଦୁଲ କାଦିର ଏବଂ ସଲିମ ମଲିକ ମଧ୍ୟ ସରଫରାଜଙ୍କ ଘରେ ଉପସ୍ଥିତ ଥିଲେ । ଖାଇବା ପରେ ସେ ଚରସ ମଧ୍ୟ ନେଇଥିଲେ ।

ସରଫରାଜ ନବାଜ କିଏ ?

୧୯୬୯ରୁ ୧୯୮୪ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ୫୫ଟି ଟେଷ୍ଟ ଏବଂ ୪୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ସରଫରାଜ୍‌ ଲମ୍ବା ସମୟ ପର୍ଯ୍ୟନ୍ତ ଦ୍ରୁତ ବୋଲର ଭାବେ ଇମ୍ରାନଙ୍କ ଯୋଡ଼ିଦାର ଥିଲେ । ସେହି ସମୟରେ ସରଫରାଜ୍‌ ରିଭର୍ସ ସୁଇଂର ବାଦଶାହ ଥିଲେ । ଟେଷ୍ଟ କ୍ରିକେଟରେ ୧୭୭ ୱିକେଟ୍‌ ନେଇଥିବା ସରଫରାଜ୍‌ ପରେ ପାକିସ୍ତାନରେ ସାଂସଦ ହୋଇଥିଲେ । ଏହା ବ୍ୟତୀତ ସେ ଜଣେ ଭଲ କ୍ରିକେଟ କମେଣ୍ଟେଟର ମଧ୍ୟ ଥିଲେ । ଖାଲି ସେତିକି ନୁହେଁ ଟେଷ୍ଟ କ୍ରିକେଟରେ ସରଫରାଜ୍‌ ୫ ହଜାର ରନ୍‌ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି ।

Leave a Reply