ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍

1 min read

ଇସଲାମାବାଦ: ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆସନ୍ତାକାଲି ଏହି ମାମଲାର ତଦନ୍ତରେ ସାମିଲ ହେବାକୁ ଯାଉଥିବାବେଳେ ତାଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଏପରିକି ତାଙ୍କର ଗିରଫ ସମ୍ଭାବନା ୮୦ ପ୍ରତିଶତ ରହିଛି ବୋଲି ସେ ଆଶଙ୍କା କରିଛନ୍ତି । ସେ କହିଛନ୍ତି- ଅଲ କାଦିର ଟ୍ରଷ୍ଟ ମାମଲାକୁ ରାଜନୀତିକରଣ କରାଯାଇ ତାଙ୍କୁ ଟାର୍ଗେଟ କରାଯାଇଛି ।

ଆସନ୍ତା ନିର୍ବାଚନରେ ଶାସକ ଦଳ ପରାସ୍ତ ହେବା ଆଶଙ୍କା ଥିବାରୁ ସରକାର ତାଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପାକିସ୍ତାନ ତେହରିକ ଇ ଇନସାଫର ୧୦ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିଚାର ମିଲିଟାରୀ କୋର୍ଟରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଏକ ଦୁର୍ନୀତି ମାମଲାର ବିଚାର ଚାଲିଥିବାବେଳେ ଗତ ମେ ୯ ତାରିଖରେ ପାରାମିଲିଟାରୀ ରଞ୍ଜେର ପକ୍ଷରୁ ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା ।