ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି ଗିରଫ ଖଣ୍ଡା

1 min read

ଇସଲାମାବାଦ: କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆତଙ୍କବାଦ ନିରୋଧ ଆଇନ ବା ଏଟିଏ ଆଧାରରେ ତାଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି । ଇସଲାମାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାବେଳେ ଜଣେ ବିଚାରପତି ଓ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଇମ୍ରାନଙ୍କ ଅଡୁଆ ବଢ଼ିଛି ।

ଶନିବାର ସନ୍ଧ୍ୟାରେ ଇସଲାମାବାଦର ଏଫ-୯ ପାର୍କରେ ଉଦବୋଧନ ଦେବାବେଳେ ସେ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ସହ ଉତ୍ତେଜକ ମନ୍ତବ୍ୟ ଦେବା ଆରମ୍ଭ କରିବାରୁ ଟେଲିଭିଜନରେ ତାଙ୍କ ଭାଷଣର ପ୍ରସାରଣ ବନ୍ଦ କରିଦିଆଯାଇଥିଲା । ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି ବା PEMRA କହିଛି- ଇମ୍ରାନଙ୍କ ଭାଷଣକୁ ମନିଟରିଂ ଓ ସମ୍ପାଦନା କରାଗଲେ ହିଁ ପ୍ରସାରଣ କରାଯିବ ।

ନିଜ ଅଭିଭାଷଣ କାଳରେ ପାକିସ୍ତାନର ବହୁ ରାଷ୍ଟ୍ରୀୟ ପ୍ରତିଷ୍ଠାନ ବିରୋଧରେ ଇମ୍ରାନ ବର୍ଷିଥିବା ବେଳେ ଏହାକୁ ନେଇ ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ରହିଥିଲା ବୋଲି ଅଭିଯୋଗ କରିଥିଲା PEMRA । ଇମ୍ରାନ ନିଜ ଭାଷଣରେ ବରିଷ୍ଠ ପୋଲିସ ଅଫିସର, ଜଣେ ମହିଳା ମାଜିଷ୍ଟ୍ରେଟ ଓ ନିର୍ବାଚନ କମିଶନଙ୍କ ବିରୋଧରେ ମାମଲା ଦାୟର କରିବାକୁ ଧମକ ଦେଇଥିଲେ ।

ଦେଶଦ୍ରୋହ ଅଭିଯୋଗ କ୍ରମେ ସହଯୋଗୀ ସାହାବାଜ ଗିଲଙ୍କୁ ଗିରଫ କରାଯିବା ପରେ ଉତ୍ତ୍ୟକ୍ତ ହୋଇଛନ୍ତି ପୂର୍ବତନ କ୍ରିକେଟର । ସେପଟେ ପାକିସ୍ତାନ ଗୃହମନ୍ତ୍ରୀ ରାଣା ସାନାଉଲ୍ଲା କହିଛନ୍ତି- ଇମ୍ରାନ ସେନାକୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଇମ୍ରାନଙ୍କ ଭାଷଣକୁ କେନ୍ଦ୍ର କରି ଇସଲାମବାଦ ପୋଲିସ ତାଙ୍କ ବିରୋଧରେ ଆତଙ୍କାବାଦ ବିରୋଧୀ ଆଇନ ଅନୁସାରେ ମାମଲା ରୁଜୁ କରିଥିଲା ।

ଆଜି ଇମ୍ରାନଙ୍କ ଆଇନଜୀବୀ ଟିମ୍ କୋର୍ଟରେ ଆଗୁଆ ଜାମିନ ଆବେଦନ କରିବେ । ତେଣେ ସମ୍ଭାବ୍ୟ ଗିରଫଦାରୀକୁ ନେଇ ଇମ୍ରାନଙ୍କ ପାକିସ୍ତାନ ତେହରିକ-ଇ- ଇନସାଫ ପାର୍ଟିର କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସହରରେ ପ୍ରତିବାଦ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।