ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ୫ ବର୍ଷ ଲଢ଼ିପାରିବେନି ନିର୍ବାଚନ

ଇସଲାମାବାଦ: ବହୁଚର୍ଚ୍ଚିତ ତୋଷଖାନା ମାମଲା । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୋଷୀ ସାବ୍ୟସ୍ତ । ରାୟ ଶୁଣାଇଲେ କୋର୍ଟ । ମାମଲାର ଶୁଣାଣି କରି 3 ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏହା ସହ ୧ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଏହା ସହ 5 ବର୍ଷ ଯାଏ ନିର୍ବାଚନ ଲଢ଼ି ପାରିବେନି ପାକିସ୍ତାନ ତେହରିକ ଇ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ । ଏନେଇ ଇମ୍ରାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛି ଇସଲାମାବାଦ ପୋଲିସ । ବିଦେଶୀ ଅତିଥିଙ୍କ ଠାରୁ ପ୍ରାପ୍ତ ଉପହାରଗୁଡିକୁ ବିକ୍ରି କରିଥିବା ଅଭିଯୋଗକୁ ନେଇ ଅଡୁଆରେ ପଡିଛନ୍ତି କ୍ରିକେଟ ଲିଜେଣ୍ଡ ଇମ୍ରାନ ।

୨୦୧୮ରେ ରାଷ୍ଟ୍ରମୁଖ୍ୟ ଭାବେ ଇମ୍ରାନଙ୍କୁ ବହୁ ରାଷ୍ଟ୍ର ଓ ବୈଦେଶିକ ପଦାଧିକାରୀମାନେ ଅନେକ ଉପହାର ଦେଇଥିଲେ । ୨୦୧୮ରେ ଇମ୍ରାନଙ୍କୁ ପ୍ରାୟ ୧୫୪ ନିୟୁତ ଟଙ୍କାର ରତ୍ନଖଚିତ ଘଣ୍ଚା ଉପହାର ମିଳିଥିଲା । ତେବେ ସେଥିରୁ ୩ଟି ଦାମୀ ଘଣ୍ଟାକୁ ୩୬ ନିୟୁତ ଟଙ୍କାରେ ବିକ୍ରି କରିଦେଇଥିଲେ ଇମ୍ରାନ ।

ଏହା ସହ ଉପହାର ସମ୍ପର୍କରେ ଦେଇଥିଲେ ମିଥ୍ୟା ତଥ୍ୟ । ସେ ପାଇଥିବା ଉପହାର ମଧ୍ୟରେ ରହିଛି ଗ୍ରାଫ୍ଟ ରିଷ୍ଟଓ୍ବାଚ, ଦୁଇଟି କଫଲିଙ୍କ, ଏକ ଦାମୀ ପେନ, ୪ଟି ରୋଲେକ୍ସ ଘଡ଼ି ଇତ୍ୟାଦି । ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଉପହାର ମିଳେ ତାହାକୁ ସରକାରୀ ମାଲିକାନାଧୀନ ତୋଷଖାନାରେ ରଖାଯିବା କଥା ।