ଖୋଳିଥିବା ଗାତରେ ଫସିଲେ ଇମ୍ରାନ୍, ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ ମାଗିଲେ ସୁପ୍ରିମକୋର୍ଟ

Imran Khan Getting Stuck In His Own Trick Supreme Court

 

ଇସଲାମାବାଦ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ କିଏ କରିଥିଲା ଷଡ଼ଯନ୍ତ୍ର ? ଦେଶ ବାହାରର କେଉଁ ଶକ୍ତି ଇମ୍ରାନଙ୍କୁ ପଦଚ୍ୟୁତ୍ କରିବାକୁ ପ୍ରୟାସ କରିଥିଲା ? ପାକିସ୍ତାନର ସୁପ୍ରିମକୋର୍ଟରେ ଏବେ ଏସବୁ ପ୍ରଶ୍ନର ଉତ୍ତର ରଖିବାକୁ ଥତମତ ହେଉଛନ୍ତି ଇମ୍ରାନ୍ ଖାନ । ସରକାର ବିରୋଧରେ କିଏ ଷଡ଼ଯନ୍ତ୍ର କଲା ତାର ପ୍ରମାଣ ସୁପ୍ରିମକୋର୍ଟ ମାଗିଛନ୍ତି । ଦାବିକୁ ପ୍ରମାଣିତ କରିବାକୁ କହିବା ସହ କୋର୍ଟ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ବୈଠକର ବିବରଣୀ ମାଗିଛନ୍ତି ।

ଇମ୍ରାନ ମାର୍ଚ୍ଚ ୨୭ରେ ଇସଲାମାବାଦରେ କରିଥିବା ରାଲିରେ ଏକ ଚିଠି ଦେଖାଇ କହିଥିଲେ ସରକାର ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ପରେ ଦେଶବାସୀଙ୍କୁ ସମ୍ବୋଧିତ କଲା ବେଳେ ମଧ୍ୟ ପୁଣି ବିଦେଶୀ ଷଡ଼ଯନ୍ତ୍ର କଥା ଉଠାଇଥିଲେ ଇମ୍ରାନ । ପରେ କହିଥିଲେ, ସରକାର ଭାଙ୍ଗିବାକୁ ଆମେରିକା ଷଡ଼ଯନ୍ତ୍ର ରଚିଛି ।

Imran Khan Getting Stuck In His Own Trick Supreme Court

ଏବେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ପ୍ରଶ୍ନ କରିଛନ୍ତି, ବିନା ତଥ୍ୟ ପ୍ରମାଣରେ ଅବିଶ୍ୱାସ ପ୍ରସ୍ତାବକୁ କେମିତି ଖାରଜ କରାଗଲା । ଅନ୍ୟପଟେ ପାକିସ୍ତାନ ମୁସଲିମ୍ ଲିଗର ନୱାଜ କି ମରିୟମ୍ କହିଛନ୍ତି, ଇମ୍ରାନ ମିଛ କାଗଜ ରାଲିରେ ଦେଖାଇଥିଲେ । ଯଦି ଚିଠି ସତ, ଷଡ଼ଯନ୍ତ୍ର ସତ ତାହେଲେ ଇମ୍ରାନ୍ କାହିଁକି ଚିଠିକୁ ଜନସାଧାରଣଙ୍କୁ ଦେଖାଇଲେ ନାହିଁ । ଯଦି ଧମକ ମିଳିଛି ତ ସୁପ୍ରମକୋର୍ଟରେ ପ୍ରମାଣ ଦିଅନ୍ତୁ ।

ଏପ୍ରିଲ୍ ୩ରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବକୁ ଡେପୁଟି ସ୍ପିକର କାସିମ୍ ଖାନ ସୁରୀ ଖାରଜ କରିଥିଲେ । ସମ୍ବିଧାନର ଅନୁଚ୍ଛେଦ ୫ ଅନୁସାରେ, ବିରୋଧୀଙ୍କ ଅନାସ୍ଥାକୁ ବିଦେଶୀ ଷଡ଼ଯନ୍ତ୍ର କହି ଖାରଜ କରି ଦେଇଥିଲେ । ଏହାପରେ ଇମ୍ରାନ ରାଷ୍ଟ୍ରପତିଙ୍କୁ ସଂସଦ ଓ ସମସ୍ତ ବିଧାନସଭା ଭଙ୍ଗ କରିବାକୁ ସୁପାରିସ୍ କରିଥିଲେ । ଇମ୍ରାନଙ୍କ ପତ୍ର ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିଲେ । ଯାହାକୁ ବିରୋଧ କରି ବିରୋଧୀ ସୁପ୍ରିମକୋର୍ଟ ଯାଇଛନ୍ତି ।