ନିର୍ବାଚନରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ଆଣିଲେ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ ବ୍ଯାପକ ହେରଫେର ଅଭିଯୋଗ ଆଣିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ ଏ ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ। ଅନିୟମିତତାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ଇମ୍ରାନ ଖାନ। ପାକିସ୍ତାନରେ ୧୮୦ରୁ ଅଧିକ ଆସନ ଜିତିବା ଦାବି କରିଛନ୍ତି ଇମ୍ରାନ। ତେବେ ହାରିବାକୁ ଥିବା ପ୍ରାର୍ଥୀ ହେରଫେର କରି ନିର୍ବାଚନ ଫଳାଫଳ ବଦଳାଇଛନ୍ତି।

ନିକଟରେ ରାୱଲପିଣ୍ଡି କମିଶନର ଲିଆକତ ଅଲୀ ଏହି ଅଭିଯୋଗ ଆଣି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦେଶର ସର୍ବୋଚ୍ଚ ପଦରେ ଥିବା ବିଚାରପତି ମଧ୍ଯ ଏହି ହେରଫେରରେ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି। ରାୱଲପିଣ୍ଡିରେ ୧୩ ପ୍ରାର୍ଥୀଙ୍କୁ ହେରଫେର କରି ବିଜୟ ଘୋଷଣା କରାଯାଇଥିବା ସେ କହିଥିଲେ। ଲିଆକତ ଅଲୀଙ୍କ ଇସ୍ତଫା ପରେ ଅନିୟମିତତା ବିବାଦ ଜୋର ଧରିଛି। ବିବାଦକୁ ନେଇ ଦେଶବ୍ଯାପୀ ଆନ୍ଦୋଳନ ଆରମ୍ଭ କରଛନ୍ତି ପାକିସ୍ତାନ ତେହରିକ ଏ ଇନସାଫ ପାର୍ଟିର ନେତା ଓ ସମର୍ଥକ। ନିର୍ବାଚନ ଅନିୟମିତତାରେ ପାକିସ୍ତାନର ନିର୍ବାଚନ କମିଶନ ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମଧ୍ଯ ସାମିଲ ଥିବା ଅଭିଯୋଗ କରିଛନ୍ତି ଇମ୍ରାନ ଖାନ। ପାକିସ୍ତାନ ମୁଖ୍ୟ ନିର୍ବାଚନ କମିଶନର ଏବଂ ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି ଇମ୍ରାନ ଖାନ। ସେପଟେ ଲିଆକତଙ୍କ ଅଭିଯୋଗକୁ ନେଇ ତଦନ୍ତ କମିଟି ଗଠନ କରିଛି ପାକିସ୍ତାନ ନିର୍ବାଚନ କମିଶନ। ପାକିସ୍ତାନରେ ସାଧାରଣ ନିର୍ବାଚନ ପରେ ସରକାର ଗଠନ ନେଇ ଅଚଳାବସ୍ଥା ଜାରି ରହିଛି।