ପାକିସ୍ତାନରେ ସ୍ଥିତି ଗମ୍ଭୀର, ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଗିରଫଦାରୀ ପରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ପିଟିଆଇର ସମର୍ଥକମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ସହ ପୋଡ଼ାଜଳା କରିଛନ୍ତି ବିକ୍ଷୋଭକାରୀ । ଏମିତି କି ସେନା ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି । ପେଶୱାର ସ୍ଥିତ ରେଡିଓ ଷ୍ଟେସନକୁ ନିଆଁ ଲଗାଇଦେଇଛନ୍ତି । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏପରି ସ୍ଥିତିରେ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାମାଜିକ ଗଣମାଧ୍ୟମରେ ପାକିସ୍ତାନରେ ହୋଇଥିବା ପୋଡ଼ାଜଳା ଏବଂ ଭଙ୍ଗାରୁଜାର ଅନେକ ଚିତ୍ର ଭାଇରାଲ୍ ହେଉଛି । ପୋଲିସ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସାରା ଦେଶରେ ୧୪୪ ଧାରା ଲାଗୁ କରିଛି । ସୂଚନାଥାଉକି, ଇମ୍ରାନ ଖାନଙ୍କୁ ଅଲ କାଦିର ଟ୍ରଷ୍ଟ ସହ ସମ୍ବନ୍ଧିତ ମାଲମାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ଗିରଫ କରାଯିବା ପରେ ଇସଲାମାବାଦ, ରାୱଲପିଣ୍ଡି, ଲାହୋର, କରାଚୀ, ଫୈସଲାବାଦ, ମୁଲତାନ, ପେଶାୱର ମର୍ଦନ ସମେତ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପିଟିଆଇ ପକ୍ଷରୁ ବିକ୍ଷୋଭ କରାଯାଉଛି ।

ଏହି ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଇସଲାମାବାଦ ପୋଲିସର ୫ ଯବାନ ଆହତ ହୋଇଛନ୍ତି । ସେହିପରି ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ ଗିରଫ ହୋଇଛନ୍ତି । ସ୍ଥିତି ବିଗୁଡ଼ୁଥିବାର ଦେଖି ଦେଶରେ ମୋବାଇଲ ଇଣ୍ଟନେଟ ସେବା ବନ୍ଦ କରାଯାଇଛି । ପିଟିଆଇ ମୁଖିଆ ଇମ୍ରାନଙ୍କ ଗିରଫଦାରୀ ପରେ ଦେଶରେ ଗୃହଯୁଦ୍ଧ ସ୍ଥିତି ସୃଷ୍ଟି ହେଉଛି ।