ରିଅଲ ଇଷ୍ଟେଟ ଡେଭଲପର ସାବଧାନ ! ଅବୈଧ ନିର୍ମାଣ ଉପରେ ଚାଲିବ ବୁଲଡୋଜର
ଭୁବନେଶ୍ବର: ଏଣିକି ଅବୈଧ ନିର୍ମାଣ କଲେ ଭଙ୍ଗାଯିବ । ବାସୋପଯୋଗୀ ପ୍ରମାଣ ପତ୍ର ନଥିଲେ ମିଳିବନି ଲାଇଟ୍, ପାଣି ସଂଯୋଗ । ମିଳିବନି ବ୍ୟାଙ୍କ ଋଣ । ମ୍ଯୁନିସିପାଲିଟି ଦେଇପାରିବନି ଟ୍ରେଡ ଲାଇସେନ୍ସ । ଗୋଟିଏ ମାମଲାର ବିଚାର କରି ସବୁ ରାଜ୍ୟର ହାଇକୋର୍ଟ ଓ ମୁଖ୍ୟ ଶାସନ ସଚିବଙ୍କକୁ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନିର୍ଦ୍ଦେଶର କଡ଼ା ଅନୁପାଳନ ନ ହେଲେ ଏନଫୋର୍ସମେଣ୍ଟ ଏଜେନସି ଅଧିକାରୀ କୋର୍ଟ ଅବମାନନାରେ ଦଣ୍ଡିତ ହେବେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସବୁ ମହଲରେ କରାଯାଉଛି ସ୍ବାଗତ ।
ରିଅଲ ଇଷ୍ଟେଟ ଡେଭଲପର ସାବଧାନ । ଅବୈଧ ବିଲ୍ଡିଂ ଉପରେ ଚାଲିବ ବୁଲଡୋଜର । କୌଣସି ସରକାରୀ ନିର୍ଦ୍ଦେଶ ନୁହେଁ, ବେଆଇନ ନିର୍ମାଣକାରୀଙ୍କ ଉପରେ ସୁପ୍ରିମକୋର୍ଟଙ୍କ ସୁପ୍ରିମ ଛାଟ । ବେଆଇନ ଜମି ଉପରେ ଆପାର୍ଟମେଣ୍ଟ୍ ହେଉ କି ଡ୍ୟୁପ୍ଲେକ୍ସ୍ ନିର୍ମାଣ ହୋଇଥିଲେ ସେସବୁ ଭଙ୍ଗାଯିବ । ମିରଟର ଗୋଟିଏ ମାମଲାର ବିଚାର କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଲୋକଙ୍କ କଷ୍ଟାର୍ଜିତ ଧନରେ ଯେପରି କୌଣସି ସରକାରୀ ଏଜେନ୍ସି ଓ ବିଲଡର ଖେଳିପାରିବେନି ସେ ନେଇ ସବୁ ରାଜ୍ୟର ହାଇକୋର୍ଟ, ବ୍ଯାଙ୍କ ଓ ମୁଖ୍ୟ ଶାସନ ସଚିବମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁପାଳନ ନ କଲେ କୋର୍ଟ ଅବମାନନାରେ ସମ୍ପୃକ୍ତ ଅଧିକାରୀ ଦଣ୍ଡିତ ହେବେ । ରାୟ ଅନୁଯାୟୀ, ଏଣିକି ବାସପୋଯୋଗୀ ପ୍ରମାଣପତ୍ର ନ ମିଳିବା ଯାଏଁ ବିଦ୍ୟୁତ, ପାଣି ଓ ସ୍ବରେଜ୍ ସଂଯୋଗ କି ବ୍ଯାଙ୍କ ଋଣ ମିଳିବନି । ନିର୍ମାଣ ଅବସ୍ଥାରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ କରୁଥିବା ସରକାରୀ ଉନ୍ନୟନ କର୍ତ୍ତୃପକ୍ଷ ଓ ମହାନଗର ନିଗମ ଅଧିକାରୀ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ କରିବେ ।
ବାସୋପଯୋଗୀ ପ୍ରମାଣପତ୍ର ବା ଅକ୍ଯୁପାନ୍ସି ସାର୍ଟିଫିକେଟ୍ ନଥିଲେ ମ୍ଯୁନିସିପାଲ କର୍ପୋରେସନ୍ ଟ୍ରେଡ ଲାଇସେନ୍ସ ବି ଦେଇପାରିବେନି । ବେଆଇନ ନିର୍ମାଣ ଭାଙ୍ଗିବାକୁ ଗଲା ବେଳେ ଏନଫୋର୍ସମେଣ୍ଟ ଏଜେନ୍ସିଙ୍କୁ ପୋଲିସ ସମ୍ପୂର୍ଣ୍ଣ ସହାୟତ କରିବାକୁ ବାଧ୍ୟ । ଯଦି କୌଣସି ଏନଫୋର୍ସମେଣ୍ଟ୍ ଅଧିକାରୀ ଏହାର ଅନୁପାଳନ ନ କରନ୍ତି ତା’ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାରେ ରେରା ଆଇନ୍ କାର୍ଯ୍ୟକାରୀ ହୋଇଥିଲେ ବି କେତେକ କ୍ଷେତ୍ରରେ ଏହାର ଠିକ୍ ଭାବେ ଅନୁପାଳନ ହେଉ ନଥିଲା । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆଉ ଅଧିକାରୀ ଖସିପାରିବେନି ।
ସୁପ୍ରିମକୋର୍ଟଙ୍କ ରାୟକୁ ସବୁ ମହଲରେ ସ୍ବାଗତ କରାଯାଇଛି । କ୍ରେଡାଇ ପ୍ରଶ୍ନ କରିଛି, ଓଡ଼ିଶାରେ ଏପରି କେତେକ ବିଲ୍ଡିଂ ନିର୍ମାଣ ଆଗରୁ ହୋଇଛି ସେଠାରେ କିଛିଟା ଅନିୟମିତା ଅଭିଯୋଗ ରହିଛି । ସେଠାରେ ବିଦ୍ୟୁତ, ପାଣି ଓ ସ୍ବେରେଜ୍ ବ୍ୟବସ୍ଥା ଦିଆସରିଛି । ସେ କ୍ଷେତ୍ରରେ କ’ଣ ହେବ ? କ୍ରେଡାଇ କହିଛି ଅବୈଧ ନିର୍ମିତ ହୋଇଥିବା ବିଲ୍ଡିଂକୁ ନିୟମିତ କରିବା ପାଇଁ ଓଡ଼ିଶା ସରକାର ସର୍ବକ୍ଷମା ଯୋଜନା ବ୍ୟବସ୍ଥା କରିଥିଲେ । କିନ୍ତୁ ସେଥିରେ କେତେକ ବିଲ୍ଡରଙ୍କ ଆବେଦନ ଖାରଜ ହୋଇଯାଇଥିଲା । ସେଗୁଡ଼ିକୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ପୁଣି ଥରେ ସର୍ବକ୍ଷମା ଯୋଜନା ଲାଗୁ କରିବା ଆବଶ୍ୟକ । ନହେଲେ ସେଠାରେ ରହୁଥିବା ଲୋକେ ଯିବେ କୁଆଡ଼େ ?
ଅନ୍ୟପଟେ ବିଏମସି ମେୟର ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରି କହିଛନ୍ତି, ଏବେ ଜମିର କାଗଜପତ୍ର ଯାଞ୍ଚ ପରେ ଯାଇ ନିର୍ମାଣ କରିବାକୁ ଅନୁମତି ଦିଆଯିବ । ସୁପ୍ରିମକୋର୍ଟ କେବଳ ଉତ୍ତରପ୍ରଦେଶର ଗୋଟିଏ ମାମଲାକୁ ନଜରରେ ରଖି ଏପରି ନିର୍ଦ୍ଦେଶ ଦେଇନାହାନ୍ତି । ଏପରି ସମସ୍ୟା ସାରା ଦେଶରେ ଅଛି ବୋଲି କୋର୍ଟ ଅନୁଭବ କରି ପୂରା ଦେଶରେ ରିଅଲ ଇଷ୍ଟେଟ୍ ବ୍ୟବସାୟରେ ସଂସ୍କାର ଆଣିବାକୁ ଏପରି ରାୟ ଦେଇଛନ୍ତି ।
ସହରାଞ୍ଚଳ ହେଉକି ଗ୍ରାମାଞ୍ଚଳ ସବୁଠି ଚାଲିଛି ରିଅଲ ଇଷ୍ଟେଟ୍ ବେପାର । ଅଧିକାଂଶ କ୍ଷେତ୍ରରେ ବିଲଡରଙ୍କ ଉତ୍ପୀଡନର ଶିକାର ହେଉଛନ୍ତି ସାଧାରଣ ଲୋକେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ଦ୍ବାରା ସାଧାରଣ ଲୋକେ ଘର କିଣିବା ପୂର୍ବରୁ ରେରା ଅଥରିଟିଙ୍କ ପାଖରୁ ସମ୍ପୃକ୍ତ ନିର୍ମାଣଧୀନ ବିଲ୍ଡିଂଟି ବାସୋପଯୋଗୀ ନା ନାହିଁ ବୁଝିବା ପରେ ଆଗେଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।