ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ
ଭୁବନେଶ୍ବର : କେଉଁଠି ରହିଲା ଭୁଲ ? କଣ କଲେ ଆଉ ଝୁଣ୍ଟିବନି ବିଜେଡି ? ଗତ ନିର୍ବାଚନୀ ପରାଜୟକୁ ପ୍ରେରଣା ଭାବେ ଗ୍ରହଣ କରି ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛି ବିଜୁ ଜନତା ଦଳ । କାରଣ ପ୍ରଥମଥର ଶାସନ କ୍ଷମତାରେ ବିଜେଡି ନାହିଁ ସିନା ହେଲେ ଗତ ଭୋଟ ମାର୍ଜିନରେ ଦଳ ଏକ ନମ୍ବରରେ ରହିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ସଂଗଠନକୁ ଆହୁରି ମଜଭୁତ କରି ଆଗେଇବାକୁ ଅଣ୍ଟା ଭିଡିଛି ଦଳ । ରୋଡ ମ୍ଯାପ ନେଇ ଦଳୀୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଦେବେ ଦିଗଦର୍ଶନ । ଆସନ୍ତା ସେପ୍ଟେମ୍ବର ୨୭ ତାରିଖରେ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।
ସେପଟେ ନିର୍ବାଚନ ପରଠାରୁ ଦୈନିକ ସାଂଗଠନିକ ସମୀକ୍ଷା କରି ଚାଲିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏ ଯାଏ ପାଖାପାଖି ୨୦ ଜିଲ୍ଲାର ସମୀକ୍ଷା ସରିଲାଣି । ଜିଲ୍ଲା ନେତାଙ୍କ ସହ ଗତ ନିର୍ବାଚନର ପରାଜୟର କାରଣ ନେଇ ନବୀନ ସିଧା ଆଲୋଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନୂଆପଡ଼ା ଜିଲ୍ଲା ସମୀକ୍ଷା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଆଜି ବି ରାଜ୍ୟବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ପାଇଁ ଯଥେଷ୍ଟ ସମ୍ମାନ ରହିଛି । ଯେଉଁ ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ସରକାର କରିଥିଲା, ତାହାର ଫମ୍ପା ଆୱାଜ ଲୋକଙ୍କୁ ଶୁଭିଲାଣି । ଯାହା ନବୀନଙ୍କ ଲୋକପ୍ରିୟତାକୁ ଆହୁରି ବଢାଉଛି । ଏପରି ସ୍ଥିତିରେ ରାଜ୍ୟବାସୀଙ୍କ ଆସ୍ଥାକୁ ଆହୁରି ସୁଦୃଢ କରିବାକୁ ୨୭ ତାରିଖ ବୈଠକରେ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବ ବିଜୁ ଜନତା ଦଳ ।