ନନ୍ଦିଘୋଷ TVରେ ବାଜିଲା ଖବର, ନକଲି ଔଷଧ କାରବାରର ହେଲା ପର୍ଦ୍ଦାଫାସ୍

1 min read

କଟକ: ଓଡିଶା ବଜାରରେ ଚାଲିଛି ନକଲି ଔଷଧ କାରବାର । ଟେଲମା-୪୦ ଓ ଟେଲମା-AM ଫେକ୍‌ ମେଡିସିନ କାରବାର ଅଭିଯୋଗରେ କଟକର ପୂଜା ଏଣ୍ଟରପ୍ରାଇଜର୍ସ ଓ ଭି.ଆର. ଡ୍ରଗ୍ସ ଏଜେନ୍ସିର ସମ୍ପୃକ୍ତି ରହିଛି । ଭି.ଆର. ଡ୍ରଗ୍ସ ଏଜେନ୍ସିର ବର୍ଷା ରାଣୀ ଓ ରାହୁଲ କୁମାରଙ୍କ ନାଁରେ ଏତଲା ଦିଆଯାଇଛି । ଏମାନଙ୍କ ନିକଟରୁ ନକଲି ଔଷଧ ଜବତ ହୋଇଛି । ଜବତ ନକଲି ମେଡିସିନ୍‌ ଉଚ୍ଚ ରକ୍ତଚାପ ରୋଗୀ ଖାଇଲେ ଗୁରୁତର ହୋଇପଡିବେ ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି । ଏମାନେ ନକଲି ଔଷଧ ବଜାରରେ ବିକି ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଆଣିଛନ୍ତି । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଆଇରେ ନିବେଦନ କରାଯାଇଛି ।

ଏହି ଦୁଇ ଔଷଧ ଏଜେନ୍ସି ବିରୋଧରେ କଟକ ପୁରୀ ଘାଟ ଥାନାରେ ମାମଲା ରୁଜୁ ସହ ଉଭୟଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ଗ୍ଲେନମାର୍କ କମ୍ପାନୀ ପକ୍ଷରୁ ସେହି ବ୍ୟାଚର କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । ନକଲି ଔଷଧ ବିହାରର ଗୟା ଓ ବେଙ୍ଗାଳୁରୁରୁ ଅଣାଯାଇ କାରବାର କରାଯାଉଥିଲା । ନନ୍ଦିଘୋଷ ଟିଭିରେ ଲଗାତାର ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଆସିଥିଲା ଡ୍ରଗ୍ସ କଣ୍ଟ୍ରୋଲର । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ପରେ ସତ ସାମ୍ନାକୁ ଆସିଛି । ଆଗକୁ ନକଲି ଔଷଧର ଚେର ଧରିବାକୁ ପୋଲିସ ସହାୟତାରେ ରାଜ୍ୟ ବାହାରକୁ ଯିବ ଦୁଇଟି ସ୍ବତନ୍ତ୍ର ଟିମ ।