ଇମ୍ଫା ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଚାଲିଗଲା ଶ୍ରମିକଙ୍କ ଜୀବନ: ବେସାହାରା ହୋଇଗଲା ପୂରା ପରିବାର

ଯାଜପୁର ରୋଡ: ଇମ୍ଫା ଖଣି କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଚାଲିଗଲା ଶ୍ରମିକଙ୍କ ଜୀବନ । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବେସାହାରା ପୂରା ପରିବାର । ନ୍ୟାୟ ପାଇଁ ଏବେ ଆଇନର ଦ୍ବାରସ୍ଥ ହୋଇଛନ୍ତି ମୃତ ଶ୍ରମିକଙ୍କ ପତ୍ନୀ । ଏଭଳି ଘଟଣା ନଜରକୁ ଆସିଛି ଯାଜପୁର ସୁକିନ୍ଦା ଖଣି ଅଞ୍ଚଳରେ । କାଳିଆପାଣି ସ୍ଥିତ ଇମ୍ଫା କ୍ରୋମାଇଟ୍ ଖଣିରେ ମେ’ ୨୩ ତାରିଖ ଦିନ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଏନେଇ ଥାନାରେ ମୃତକଙ୍କ ପତ୍ନୀ ଏତଲା ଦେଇଛନ୍ତି । ସେପଟେ ଏବାବଦରେ ମୁହଁ ଖୋଲୁନାହାନ୍ତି ଇମ୍ଫା କର୍ତ୍ତୃପକ୍ଷ ।

ଇମ୍ଫା ପାଇଁ ଉଜୁଡ଼ିଗଲା ମୋ ସଂସାର । ଅନାଥ ହୋଇଗଲେ ମୋ ପିଲା । କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଚାଲିଗଲା ମୋ ସ୍ବାମୀଙ୍କ ଜୀବନ । ଏଥିପାଇଁ ଇମ୍ଫା ମାଲିକ ଓ ମ୍ୟାନେଜର ହିଁ ଦାୟୀ । କୋହୋ ଭରା କଣ୍ଠରେ ବୁକୁ ଫଟା କାନ୍ଦ କାନ୍ଦି ଏଭଳି କହୁଛନ୍ତି ମହିଳା ଜଣକ । କାରଣ ଇମ୍ଫା ଖଣି କମ୍ପାନୀ କର୍ତ୍ତୃପକ୍ଷ ଅବହେଳା ପାଇଁ ତାଙ୍କ ସ୍ବାମୀଙ୍କ ଜୀବନ ଚାଲିଯାଇଛି । ଆଉ ରୋଜଗାରିଆ ପୁଅକୁ ହରାଇ ପୂରା ପରିବାର ବେସାହାରା ହୋଇଯାଇଛି । ଏଭଳି ଦୁଃଖର କଳା ବାଦଲ ଘୋଟି ଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳ କୁସୁମୁଣ୍ଡିଆ ଗାଁର ମୀନତି ଲୋହାରଙ୍କ ପରିବାରରେ । ସ୍ବାମୀ ମୁନା ଲୋହାର ଇମ୍ଫା କ୍ରସର ୟୁନିଟି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଆଉ ନ୍ୟାୟ ଆଶାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ।

ମେ’ ୨୩ ତାରିଖରେ ସୁକିନ୍ଦା ସ୍ଥିତ କାଳିଆପାଣି ଇମ୍ଫା କ୍ରୋମାଇଟ୍ ଖଣିରେ ମୁନା ଲୋହାର କ୍ରସର ୟୁନିଟ୍‌ରେ କାମ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ବକେଟ୍ ହାପର ଖସିପଡ଼ିବା ଯୋଗୁଁ ମୁନା କ୍ରସର ୟୁନିଟ୍ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । କ୍ରସର ୟୁନିଟ୍ ଖରାପ ଥିବା ସତ୍ତ୍ବେ ଖଣି କର୍ତ୍ତୃପକ୍ଷ ମୁନାଙ୍କୁ କ୍ରସରରେ କାମ କରିବାକୁ କହିଥିଲେ । ଯାହା ଫଳରେ ମୁନାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ପରିବାରବର୍ଗ । ତେବେ କ୍ରସର ୟୁନିଟି ଯଦି ଖରାପ ଥିଲା କେମିତି ଏତେ ବେପରୁଆ ହୋଇଗଲେ ଇମ୍ଫା ଖଣି କତ୍ତୃପକ୍ଷ । କାହିଁକି ମୁନା ଲୋହାରଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଲେ । ଖଣି କତ୍ତୃପକ୍ଷ ଜାଣିଶୁଣି ଏହି କାମ କରିନାହାଁନ୍ତି ତ । ଏଥିପାଇଁ କିଏ ଦାୟି । ଦୋଷୀ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ତ । ଏହି ଭଳି ଅନେକ ପ୍ରଶ୍ନ ଭିତରେ ଘାଣ୍ଟି ହେଉଛନ୍ତି ମୁନାଙ୍କ ପରିବାର ଲୋକ । ସେପଟେ ଏବାବଦରେ ଖଣି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କାର୍ଯ୍ୟରତ ସମୟରେ ମୁନା ମୃତ୍ୟୁ ହୋଇଥିବାରୁ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଖଣି କମ୍ପାନୀ କତ୍ତୃପକ୍ଷ । ହେଲେ ଏହା କେବେ ମିଳିବ ତାକୁ ନେଇ ଏବେ ସନ୍ଦେହ ଘରରେ ପରିବାର ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କରୋନାର ତୃତୀୟ ଲହର ଅଧିକ କ୍ଷତି କରିବ ନାହିଁ: ଡାକ୍ତର ନିରୋଜ ମିଶ୍ର

Leave a Reply