ବର୍ଷାରେ ବେହାଲ ଚେନ୍ନାଇ; ବନ୍ୟା ସତର୍କତା ଜାରି

1 min read

ଚେନ୍ନାଇ: ବର୍ଷାରେ ଉବୁଟୁବୁ ଚେନ୍ନାଇ । ମୂଷଳ ଧାରାରେ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାତର ବର୍ଷା କାରଣରୁ ସହରର କେତକ ସ୍ଥାନ ଜଳମଗ୍ନ ହୋଇଛି । ପ୍ରବଳ ବର୍ଷା ପାଇଁ ଦୁଇ ଦୁଇ ଦିନ ପାଇଁ ସ୍କୁଲ ଓ କଲେଜକୁ ମଧ୍ୟ ଛୁଟି ଘୋଷଣା କରିଛି ତାମିଲନାଡୁ ସରକାର । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ଅଧିକାଂଶ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ୫ଟି ଟ୍ରେନ ବାତିଲ ହୋଇଛି । ଗତକାଲି ରାତିରେ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମାହୋଇ ରହିଛି  । ଏହି ବର୍ଷା ୨୦୧୫ ଠାରୁ ସର୍ବାଧିକ ହୋଇଥିବା କୁହାଯାଇଛି ।  ଏନେଇ ଟ୍ବିଟ୍ କରିଛି ପାଣିପାଗ ବିଭାଗ  ।

ବିଶେଷ କରି ଉତ୍ତର ଏବଂ କେନ୍ଦ୍ରୀୟ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି  । କାର ଓ ବାଇକ୍ ପାଣିରେ ବୁଡ଼ି ରହିଥିବା ଭିଡ଼ିଓ ଲୋକମାନେ ଟ୍ବିଟରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି  । ସବୁଠାରୁ ବଡ଼ କଥା ହେଉଛି ଚେନ୍ନାଇ ପାଇଁ ପାନୀୟ ଜଳର ଗୁରୁତ୍ବପୂର୍ଣ୍ଣ ଉତ୍ସ ଭାବରେ କାର୍ଯ୍ୟ କରୁଥିବା ଚେମ୍ବରମ୍ବାକ୍କମ୍ ଏବଂ ପୁଜଲ୍ ଜଳଭଣ୍ଡାରଗୁଡ଼ିକ ଅତ୍ୟଧିକ ବର୍ଷାରେ ପ୍ରଭାବିତ ହୋଇଛି  । ପ୍ରବଳ ବର୍ଷା କାରଣରୁ ଜଳଭଣ୍ଡାର ଗୁଡ଼ିକୁ ବନ୍ଦ କରିଛି ପ୍ରଶାସନ  । ବର୍ଷା ଜଳ ଛାଡ଼ିବା ପରେ ପାନୀୟ ଜଳ ଖୋଲାଯିବ ବୋଲି ଅଧିକାରୀମାନେ କହିଛନ୍ତି ।  ସେପଟେ ପାଣି ଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଛି ଜଳ ସମ୍ପଦ ବିଭାଗ  । କାଞ୍ଚିପୁରମ୍ ଏବଂ ତିରୁଭାଲୁରର ଜିଲ୍ଲାରେ ପାଣି ଘେରରେ ରହୁଥିବା ଲୋକଙ୍କ ଉଦ୍ଧାର କରିବାକୁ ପ୍ରୟାସ କରାଯାଉଛି  । ବିଭିନ୍ନ ସ୍ଥାନରେ ଏନଡିଆରଏମର ୪ଟି ଟିମ ମୁତୟନ ହୋଇଛନ୍ତି  ।

ପାଣିପାଗ ବିଶେଷଜ୍ଞ ପ୍ରଦୀପ ଜନ୍ କହିଛନ୍ତି କି ମିଲାପୋରରେ ୨୨୬ ମିମି, ଅମ୍ବାଟୁରରରେ ୨୦୫ ମିମି ବର୍ଷା ରେକର୍ଡ କରାଯାଇଛି । ୨୦୧୫ ମସିହାଠାରୁ ସର୍ବାଧିକ ବର୍ଷା ହୋଇଛି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ନଭେମ୍ବର ୧୦ ଓ ୧୧ ମଧ୍ୟରେ ଉତ୍ତର ତଟୀୟ ତାମିଲନାଡୁର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେଥିପାଇଁ ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ଏବଂ ଯେଉଁ ମତ୍ସଜୀବୀ ସମୁଦ୍ର ଭିତରେ ଅଛନ୍ତି ସେମାନେ ନଭେମ୍ବର ୯ ସୁଦ୍ଧା ସମୁଦ୍ର କୂଳକୁ ଆସିଯିବାକୁ କହିଛି ଭାରତୀୟ ପାଣିପାଗ ବିଭାଗ ।

 

 

Leave a Reply