ଆହୁରି ତିନି ଦିନ ଉତ୍ତର ଓ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ବର: ମୌସୁମୀ ଆସିଲା, ହେଲେ ଆଗକୁ ବଢୁନି । ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ରାଜ୍ୟରେ ଆହୁରି ତିନିରୁ ଚାରି ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ସେପଟେ ରାଜ୍ୟରେ ଅଂଶୁଘାତର ମାମଲା ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ପାଇଁ ଆଜି ଓଡିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆସନ୍ତାକାଲି ପଶ୍ଚିମ ଓଡିଶାର ୮ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହାସହ ଉପକୂଳ ଓଡିଶାର ୧୧ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।