୧୨ ଯାଏଁ ମତ୍ସ୍ୟଜୀବୀଙ୍କୁ ମନା ସମୁଦ୍ର, ଦକ୍ଷିଣରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଅବପାତର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ  । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗିରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ 12 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।

ଆଜି ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି  । ପ୍ରଭାବରେ ଆଜି ଓ କାଲି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ  । ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ  ।  ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର  ।

କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  । ସେହିପରି ୧୬ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର  । ଲଘୁଚାପ ପ୍ରଭାବରେ ୧୪ତାରିଖ ଯାଏଁ ସାରା ରାଜ୍ୟରେ ବର୍ଷା ଜାରି ରହିବ  । ୧୨ତାରିଖ ଯାଏ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି  ।

ପ୍ରବଳ ବର୍ଷା ଯୋଗୁଁ ପାହାଡ଼ି ଅଞ୍ଚଳରେ ଭୁସ୍ଖଳନ ସାଙ୍ଗକୁ ତଳି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ  । ସେହିପରି ସହରାଞ୍ଚଳରେ ବର୍ଷା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିବା ସମ୍ଭାବନା ରହିଛି ।  ଏହାସହ ଧାନ ବିଲରେ ପାଣି ଜମା ହେବା ଯୋଗୁଁ ଫସଲ ନଷ୍ଟ ହୋଇପାରେ । ଏଥିପାଇଁ ପଦକ୍ଷେପ ନେବା ସହିତ ଆଲର୍ଟରେ ରହିବାକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।