ଦଶହରା ଯାଏଁ ଅବିଶ୍ରାନ୍ତ ବର୍ଷା, ମହାଷ୍ଟମୀରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ଏଥର ଭିଜାଭିଜା ଦୁର୍ଗାପୂଜା । ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ରାତିରୁ ଆରମ୍ଭ ହେବ ବର୍ଷା । ଏଥିପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅବିଶ୍ରାନ୍ତ ବର୍ଷା ହୋଇପାରେ । କାଲି ପାଇଁ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩ ଏବଂ ୪ ତାରିଖରେ ବର୍ଷାର ପରିମାଣ ସହିତ ବିସ୍ତୃତି ବଢିବ ।
ସର୍ବାଧିକ ପ୍ରଭାବିତ ହେବ ଉପକୂଳ ଓଡ଼ିଶା । ୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ପୁରୀ, ଜଗତସିଂହପୁର, ଗଞ୍ଜାମ ଏବଂ କନ୍ଧମାଳକୁ ସତର୍କତା ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।