ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା, ୨୩ ସୁଦ୍ଧା ପହଞ୍ଚିବ ମୌସୁମୀ

ଭୁବନେଶ୍ବର: ରାଜ୍ଯରେ ଆଜିଠୁ କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ବର୍ଷାର ପରିମାଣ ବଢିବା ସହ ୨୦ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଗ୍ରସର ହେବ । ୨୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।
ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ । ଆଜି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାର ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୬ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖା ଦେଇଛି । ବଡ ବର୍ଷା ହେଲେ ଏହା ଭରଣା ହେବ ବୋଲି ଆଇଏମଡି ଆଶା ରଖିଛି ।