୧୦ ଜିଲ୍ଲାରେ ମୂଷଳଧାରାରେ ବର୍ଷା, ଟ୍ବିନସିଟିକୁ ସତର୍କ ଘଣ୍ଟି

1 min read

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ଓ୍ବେଲମାର୍କ ଲୋ’ପ୍ରେସର ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟାରେ ଅବପାତର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ମୁହାଁଇବ । ଆଜି ୧୦ ଜିଲ୍ଲାରେ ମୂଷଳଧାରାରେ ବର୍ଷା ହୋଇପାରେ ।

୧୦ ଜିଲ୍ଲାକୁ ରେଡ୍‌, ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି  । ରେଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୨୦୦ରୁ ଅଧିକ ମିଲିମିଟର ବର୍ଷା ହେବ । ରେଡ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ କଚ୍ଚାଘର ଭାଙ୍ଗିବା ସହ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଏହାସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବ ।

ବିପଦସଂକୁଳ ଅବସ୍ଥାରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି  । ଟ୍ବିନସିଟିରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷାରେ କମିବ ଦୃଶ୍ୟମାନ କ୍ଷମତା । ବିଭିନ୍ନ  ସ୍ଥାନରେ ସୃଷ୍ଟି ହୋଇପାରେ ଟ୍ରାଫିକ ସମସ୍ୟା । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସମ୍ଭାବନା । ଘଣ୍ଟାପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ଆକଳନ କରିଛି ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଯଥାସମ୍ଭବ ବାହାରକୁ ଯିବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୁଣି ୧୭ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ତାହା ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ । ତେବେ ତାହ ଅଧିକ ଘନୀଭୁତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଘନୀଭୁତ ହୁଏ ତେବେ ପୁଣି ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।