ଅତି ଭୀଷଣ ବାତ୍ୟାରେ ପରିଣତ ହେଲାଣି ବିପର୍ଯ୍ୟୟ, ଗୁଜରାଟରେ ୟେଲୋ ଆଲର୍ଟ

1 min read

ଗାନ୍ଧୀନଗର: ବିପର୍ଯ୍ୟୟ ପ୍ରଭାବରେ ଗୁଜରାଟରେ ୟେଲୋ ଆଲର୍ଟ । ସୌରାଷ୍ଟ୍ର-କଛ ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବରାରୁ ୟେଲୋ ଆଲର୍ଟ ଜାରି କରିଛି IMD । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି ବିପର୍ଯ୍ୟୟ । ଏହାର ପ୍ରଭାବରେ ଗୁଜରାଟର କଚ୍ଛ, ଦ୍ବାରକା, ପୋରବନ୍ଦର, ଜାମନଗର, ରାଜକୋଟ ଓ ମୋରବି ଜିଲ୍ଲାରେ ଝଡ଼, ବର୍ଷାର ସମ୍ଭାବନା ରହିଛି ।

ଗୁଜରାଟ ସମେତ ମହାରାଷ୍ଟ୍ର, ଗୋଆ ଓ କେରଳରେ ବି ବାତ୍ୟାର ପ୍ରଭାବ ପଡ଼ିବ । ବିପର୍ଯ୍ୟୟ ପ୍ରଭାବରେ କେରଳ ଓ ମୁମ୍ବାଇରେ ଆଜି ସକାଳୁ ସମୁଦ୍ରରେ ଉଚ୍ଚ ଲହଡି ଉଠୁଥିବା ଦେଖାଯାଇଛି । ପବନ ବହିବା ସହ ବର୍ଷା ହେବା ସମ୍ଭାବନା ମଧ୍ୟ ରହିଛି । ମୁମ୍ବାଇ, ନବି-ମୁମ୍ବାଇ, ଥାନେ, ପାଲଘର ସମେତ ମହାରାଷ୍ଟ୍ରର କିଛି ସ୍ଥାନରେ ଗତରାତିରୁ ବର୍ଷା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ପାଗ ଖରାପ ଥିବାରୁ ମୁମ୍ବାଇ ଏୟାରପୋର୍ଟରେ ଅନେକ ବିମାନ ବାତିଲ ହୋଇଥିବା ବେଳେ କେତେକ ଉଡାଣ ସମୟ ବିଳମ୍ବିତ ହୋଇଛି । ଫଳରେ ବିମାନବନ୍ଦରରେ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ କରିଥିବା ବେଳେ ସୋସିଆଲ ମିଡିଆରେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆରବ ସାଗରରେ ସୃଷ୍ଟ ବିପର୍ଯ୍ୟୟ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବେଳେ ୧୫ ଜୁନରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।