୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା
1 min read
ଭୁବନେଶ୍ୱର : ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ। ପୂର୍ବ ମଧ୍ୟପ୍ରଦେଶଠାରୁ ପୂର୍ବ ବିହାର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଏଭଳି ପାଗ ଲାଗିରହିଛି। ବିଶେଷ କରି ଉତ୍ତର-ଉପକୂଳ-ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ମଧ୍ୟରେ ଖରା ବର୍ଷାର ଲୁଚକାଳି ଚାଲିଛି।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି କାଳବୈଶାଖୀ ବର୍ଷା ନେଇ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଘଡଘଡି ବିଜୁଳି ସହ ବର୍ଷା ଏବଂ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
୨ତାରିଖରେ ୯ଜିଲ୍ଲା, ୩ ତାରିଖରେ ୮ ଜିଲ୍ଲା ଏବଂ ୪ ତାରିଖରେ ୧୫ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସେହିଭଳି ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୁନ୍ଦରଗଡ, ସୋନପୁର, ବୌଦ୍ଧ, ନୟାଗଡ, ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଛି।