ପାହାନ୍ତିଆରୁ ପ୍ରବଳ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଉପକୂଳ ଓଡ଼ିଶାରେ  ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ଭୋର ୪ ଟାରୁ ଉପକୂଳ ଓଡ଼ିଶାରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଫଳରେ ଭୁବନେଶ୍ୱର ଏବଂ କଟକରେ ଆଜି ପାହାନ୍ତିଆରୁ  ଭୀଷଣ ବର୍ଷା ଲାଗିରହିଛି । ପ୍ରଭାବରେ  ତଳିଆ ଅଞ୍ଚଳରେ ସାମୟିକ ଭାବେ ବର୍ଷା ଜଳ ଜମିବା ଦେଖିବାକୁ ମିଳିଛି ।

ଅଣ୍ଡରପାସ ରୋଡ଼ରେ ବର୍ଷା ଜଳ ଜମିବା ସହ ଯାତାୟାତରେ ସମସ୍ୟା ଉପୁଜିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ଖାଁଖାଁ ଦେଖିବାକୁ ମିଳୁଛି । ୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୭ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହାସହ ୧୭ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର ଓ ଝାରସୁଗୁଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି  ।