ଆଜି ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା । ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ।

ଆଜି ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କଟକ, ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି କାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ତଳି ଅଞ୍ଚଳରେ ପାଣି ଜମିବା ସ୍ଥିତି ଉପୁଜିଥିବାବେଳେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।